ନୂଆଦିଲ୍ଲୀ : ଇଜିପ୍ଟର ରାଜଧାନୀ କାଇରୋ ନିକଟସ୍ଥ ଗିଜା ପ୍ରଦେଶର ଅଲ୍-ୱାରାକ୍ ଅଞ୍ଚଳରେ ଏକ ତେଲ ଟ୍ୟାଙ୍କରରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୧ ଜଣଙ୍କ ମୃତ୍ୟୁ ହୋଇଛି। ତେଲ ଟ୍ୟାଙ୍କର ଓଲଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ୨୧ ଜଣ ଆହତ ହୋଇଛନ୍ତି। ଇଜିପ୍ଟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମୃତାହତଙ୍କ ସଂଖ୍ୟା ଘୋଷଣା କରାଯାଇଛି। ଏହି ଦୁର୍ଘଟଣାରେ ୨୪ରୁ ଅଧିକ ଗାଡି ଜଳିଯାଇଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।ଉଦ୍ଧାର କାର୍ଯ୍ୟରେ ୩୯ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଘଟଣାକୁ ନେଇ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍-ସିସି ଆହତଙ୍କ ଚିକିତ୍ସା ଏବଂ ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ୯ ଜଣଙ୍କ ଶରୀର ପୋଡ଼ିଯାଇଥିବା ବେଳେ ଜଣେ ଧୂଆଁ ଯୋଗୁଁ ଅସୁସ୍ଥ ହୋଇଥିଲେ। ସମସ୍ତ ୧୦ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ଖାଲେଦ ଅବଦେଲ ଗଫର ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ଘଟଣାସ୍ଥଳ ନିକଟସ୍ଥ ହସ୍ପିଟାଲଗୁଡ଼ିକୁ ସତର୍କ ରହିବା ଏବଂ ପ୍ରସ୍ତୁତି ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।










