ନୂଆଦିଲ୍ଲୀ : ଏନସିପି (ଏସପି) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ବିଗିଡ଼ିଛି। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍ ବା ଶରୀରରେ ଜଳୀୟ ଅଂଶର ଅଭାବ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥିବା ଆଶଙ୍କା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ତଥା ଏନସିପି (ଏସପି)ର ଜାତୀୟ କାର୍ଯ୍ୟକାରୀ ସଭାନେତ୍ରୀ ସୁପ୍ରିୟା ସୁଲେ।ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ପାଇବା ପରେ ସୁପ୍ରିୟା ଏକ ବୈଠକ ଅଧାରୁ ଛାଡ଼ି ହସ୍ପିଟାଲ ଅଭିମୁଖେ ବାହାରିଥିଲେ। ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସେ ନିଜର ହ୍ୱାଟ୍ସଆପ୍ ଷ୍ଟାଟସରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି।
ସୁପ୍ରିୟା ଲେଖିଛନ୍ତି, “ବାବାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରୁଛି। ଲାଗୁଛି ତାଙ୍କୁ ଡିହାଇଡ୍ରେସନ୍ ହୋଇଛି। ଏବେ ତାଙ୍କୁ ଟିକିଏ ବିଶ୍ରାମ ନେବା ସହ କମ୍ ଯାତ୍ରା କରିବା ଆବଶ୍ୟକ। କିନ୍ତୁ ବାବା କିଛି ଶୁଣୁନାହାନ୍ତି। ସେ ନିଜ କାମକୁ ବହୁତ ଭଲ ପାଆନ୍ତି।”ସୁପ୍ରିୟାଙ୍କ ଏହି ବାର୍ତ୍ତାରୁ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ଚିନ୍ତା ସ୍ପଷ୍ଟ ହୋଇଛି। ଶରଦ ପାୱାର ନିଜ କାର୍ଯ୍ୟ ପ୍ରତି ଅତ୍ୟନ୍ତ ନିଷ୍ଠାବାନ ହୋଇଥିବାରୁ ବିଶ୍ରାମ ନେବାକୁ ରାଜି ହେଉନଥିବା ସେ କହିଛନ୍ତି।ଶେଷରେ ସୁପ୍ରିୟା ନିଜ ବାପାଙ୍କ ସ୍ୱାସ୍ଥ୍ୟ ପାଇଁ ଶୁଭେଚ୍ଛା ଜଣାଇଥିବା ସମସ୍ତ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଜଣାଇଛନ୍ତି।










