21.1 C
Bhubaneswar
Friday, November 27, 2026
Homeଓଡିଶାଦନ୍ତ ଚିକିତ୍ସାକୁ ସମାଜର ସବୁ ବର୍ଗଙ୍କ ପାଇଁ ସୁଲଭ କରିବା ସହ ନୈତିକତାର ସହ ବୈଷୟିକ...

ଦନ୍ତ ଚିକିତ୍ସାକୁ ସମାଜର ସବୁ ବର୍ଗଙ୍କ ପାଇଁ ସୁଲଭ କରିବା ସହ ନୈତିକତାର ସହ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଗୁଣାତ୍ମକ ଦନ୍ତ ଚିକିତ୍ସା ସମାଜର ସମସ୍ତ ବର୍ଗଙ୍କ ପାଇଁ ସୁଲଭ ହେବା ଆବଶ୍ୟକ। ଜ୍ଞାନର ପ୍ରକୃତ ମୂଲ୍ୟ ଜନସାଧାରଣଙ୍କ ହିତରେ କେତେ ଉପଯୋଗୀ ହୋଇପାରୁଛି, ସେଥିରେ ନିହିତ ରହିଛି ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ କହିଛନ୍ତି। ଶୁକ୍ରବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ୫୪ତମ ଇଣ୍ଡିଆନ୍ ପ୍ରୋସ୍ଥୋଡଣ୍ଟିକ୍ ସୋସାଇଟି (ଆଇପିଏସ୍) ଜାତୀୟ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଗୌରବମୟ ଜାତୀୟ ସମ୍ମିଳନୀ ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହ ଦେଶବିଦେଶରୁ ଆସିଥିବା ପ୍ରତିନିଧି, ଦନ୍ତ ଚିକିତ୍ସକ, ବିଶେଷଜ୍ଞ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ।ପ୍ରୋସ୍ଥୋଡଣ୍ଟିକ୍ସର ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଏହି ଚିକିତ୍ସା ବିଜ୍ଞାନ କେବଳ ଉପୁଡିଯାଇଥିବା ଦାନ୍ତର ପ୍ରତିସ୍ଥାପନ କିମ୍ବା ହସର ସୌନ୍ଦର୍ଯ୍ୟ ବୃଦ୍ଧିରେ ସୀମିତ ନୁହେଁ। ଏହା ରୋଗୀଙ୍କର ଖାଦ୍ୟ ଚୋବାଇବା ଓ କଥା କହିବା କ୍ଷମତାକୁ ପୁନଃସ୍ଥାପିତ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି ଏବଂ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ଆଣିଥାଏ।

ଡିଜିଟାଲ୍ ସ୍କାନିଂ, 3D ପ୍ରିଣ୍ଟିଂ, କମ୍ପ୍ୟୁଟର ଆଧାରିତ ଡିଜାଇନ୍ ଏବଂ ଅତ୍ୟାଧୁନିକ ଇମ୍ପ୍ଲାଣ୍ଟ୍ ପ୍ରଯୁକ୍ତିବିଦ୍ୟା ଦନ୍ତ ଚିକିତ୍ସା କ୍ଷେତ୍ରରେ ନୂତନ ପରିବର୍ତ୍ତନ ଆଣୁଛି ବୋଲି ସେ କହିଥିଲେ। ତେବେ ବୈଷୟିକ ଜ୍ଞାନକୌଶଳ ଦନ୍ତ ଚିକିତ୍ସକଙ୍କ ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତାର ପରିପୂରକ ହେବା ଉଚିତ, ଏହାର ବିକଳ୍ପ ନୁହେଁ। ଉତ୍ତମ ଚିକିତ୍ସା ଓ ଦୀର୍ଘକାଳୀନ ସୁଫଳ ପାଇଁ ସଠିକ୍ ରୋଗ ନିରୂପଣ, ନୈତିକ ଚିକିତ୍ସା ପଦ୍ଧତି ଏବଂ ପ୍ରାକୃତିକ ଦାନ୍ତ ଓ ହାଡ଼ର ଗଠନକୁ ସୁରକ୍ଷିତ ରଖିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ। ମୁଖ ସ୍ୱାସ୍ଥ୍ୟ, ପୁଷ୍ଟି ଓ ସାମଗ୍ରିକ ସ୍ୱାସ୍ଥ୍ୟ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିବା ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଦନ୍ତ ସ୍ୱାସ୍ଥ୍ୟସେବାକୁ ସାଧାରଣ ସ୍ୱାସ୍ଥ୍ୟସେବାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରାଯିବା ଆବଶ୍ୟକ।

ଯୁବ ଦନ୍ତ ଚିକିତ୍ସକ ଓ ଗବେଷକମାନେ ବୈଜ୍ଞାନିକ ଗବେଷଣା ଏବଂ ନୂତନ ଉଦ୍ଭାବନର ସୁଫଳକୁ ରୋଗୀଙ୍କ ଉନ୍ନତ ଚିକିତ୍ସାରେ ବିନିଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଗୁଣାତ୍ମକ ଦନ୍ତ ଚିକିତ୍ସା କେବଳ ବଡ଼ ସହରରେ ସୀମିତ ନରହି ଗ୍ରାମାଞ୍ଚଳ, ଛୋଟ ସହର ଏବଂ ଚିକିତ୍ସା ସୁବିଧାରୁ ବଞ୍ଚିତ ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚିବା ଉଚିତ। ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ଏହି ସେବା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ସମ୍ମିଳନୀର ଆୟୋଜନ ପାଇଁ ଇଣ୍ଡିଆନ୍ ପ୍ରୋସ୍ଥୋଡଣ୍ଟିକ୍ ସୋସାଇଟି‌‌ର ଓଡ଼ିଶା ଶାଖା ଏବଂ ଆୟୋଜକ କମିଟିକୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଇଣ୍ଡିଆନ୍ ପ୍ରୋସ୍ଥୋଡଣ୍ଟିକ୍ ସୋସାଇଟି‌ର ସଭାପତି ଡ. ଭି. ଆନନ୍ଦ କୁମାର, ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଅତିରିକ୍ତ ମହାନିର୍ଦ୍ଦେଶକ ଡ. ସଂଘମିତ୍ରା ପତି ଏବଂ ଇଣ୍ଡିଆନ୍ ପ୍ରୋସ୍ଥୋଡଣ୍ଟିକ୍ ସୋସାଇଟି‌ର ସମ୍ପାଦକ ଡ. ଜଙ୍ଗଲା ହରି ବକ୍ତବ୍ୟ ପ୍ରଦାନ କରିଥିଲେ। ଆୟୋଜକ ଅଧ୍ୟକ୍ଷ ଡ. ଶ୍ରୁତି ବିଶାଳ ଦେବ ସ୍ୱାଗତ ଭାଷଣ ଦେଇଥିବାବେଳେ ଆୟୋଜକ ସମ୍ପାଦକ ଡ. କଳିଙ୍ଗ କେଶରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking