ନୂଆଦିଲ୍ଲୀ: ଜେନେଭାରେ ଆମେରିକା ଓ ଇରାନରେ ମଧ୍ୟରେ ନୂତନ ପର୍ଯ୍ୟାୟ ଆଲୋଚନାର ନେତୃତ୍ୱ ନେବା ପାଇଁ ଶୁକ୍ରବାର ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସ୍ବିଜରଲ୍ୟାଣ୍ଡ ଗସ୍ତ ବାତିଲ କରାଯାଇଛି। ଲଜିଷ୍ଟିକ୍ ଅସୁବିଧା ଦର୍ଶାଇ ଭାନ୍ସ ସ୍ୱିଜରଲ୍ୟାଣ୍ଡ ଯାତ୍ରାକୁ ବିଳମ୍ବିତ କରୁଛନ୍ତି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନି ଗୁରୁବାର ଜାତୀୟ ଗଣମାଧ୍ୟମ ଦ୍ୱାରା ପଠିତ ଏକ ବିବୃତିରେ ଆମେରିକା ସହିତ ସିଧାସଳଖ ଆଲୋଚନାକୁ ସମର୍ଥନ କରିଛନ୍ତି।ତେବେ ଭାନ୍ସଙ୍କ ସ୍ବିଜରଲ୍ୟାଣ୍ଡ ଗସ୍ତ ବାତିଲ ହେବା ପରେ ଇରାନ ସହିତ ସମ୍ପ୍ରତି ହୋଇଥିବା ବୁଝାମଣାପତ୍ର (ଏମଓୟୁ) ଅନ୍ତର୍ଗତ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନାର ସମୟ ଉପରେ ନୂତନ ପ୍ରଶ୍ନ ଉଠାଇଛି। ଭାନ୍ସ ଶୁକ୍ରବାର ସ୍ୱିଜରଲ୍ୟାଣ୍ଡରେ ଇରାନୀ ଦଳ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆମେରିକା ଓ ଇରାନ ମଧ୍ୟରେ ବୈଷୟିକ ଆଲୋଚନା ପାଇଁ ଢାଞ୍ଚା ଏପର୍ଯ୍ୟନ୍ତ ପ୍ରସ୍ତୁତ ନହେବାରୁ ତାଙ୍କ ଯାତ୍ରା ସ୍ଥଗିତ ରଖାଯାଇଛି ବୋଲି ଜଣାପଡ଼ିଛି।










