ନୂଆଦିଲ୍ଲୀ: ଟେଲିଗ୍ରାମ ଆପ୍ର ୧୫ କୋଟି ବ୍ୟବହାରକାରୀଙ୍କ ପାଇଁ ବଡ଼ଖବର। ଦିଲ୍ଲୀ ହାଇକୋର୍ଟ ୨୨ ଜୁନ୍ ପର୍ଯ୍ୟନ୍ତ ଟେଲିଗ୍ରାମ ଆପ୍ ଉପରେ ଲାଗିଥିବା ପ୍ରତିବନ୍ଧ (ବ୍ୟାନ୍) ହଟେଇବାକୁ ମନା କରି ଟେଲିଗ୍ରାମ ଦ୍ବାରା ରୁଜୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଶୁକ୍ରବାର ଏହି ମାମଲାରେ ଶୁଣାଣି କରି କୋର୍ଟ ସରକାରଙ୍କ ପଦକ୍ଷେପକୁ ସଠିକ୍ ବୋଲି କହିଛନ୍ତି। ଜଷ୍ଟିସ ତେଜସ୍ କାରିଆ ଆଇଟି ଆଇନର ସେକ୍ସନ ୬୯ଏ ଅନୁଯାୟୀ ଜାରି ହୋଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ୨୨ ଜୁନ୍ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ଲକ୍ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ କାୟମ ରଖିଛନ୍ତି। ଟେଲିଗ୍ରାମ୍ ଆପ୍ରେ ଭାରତରେ ପାଖାପାଖି ୧୫ କୋଟି ୟୁଜର୍ସ ଅଛନ୍ତି, ଯେଉଁମାନେ ପରସ୍ପରକୁ ଏହା ଜରିଆରେ ସମ୍ବାଦ, ଭିଡିଓ, ଟେକ୍ସଟ ଆଦାନ ପ୍ରଦାନ କରିଥାନ୍ତି। କୋର୍ଟଙ୍କ ଏହି ରାୟ ସାମାନ୍ୟ ୟଜର୍ସଙ୍କ ପାଇଁ ଝଟ୍କା ପରି ହୋଇଛି।
ଏହାପୂର୍ବରୁ ଜଷ୍ଟିସ କରିୟାଙ୍କ ଅବକାଶକାଳୀନ ଖଣ୍ଡପୀଠ ଦିନକ ପୂର୍ବରୁ ପ୍ରଶ୍ନ ଉଠାଇ କହିଥିଲେ ଯେ, କେବଳ ମାତ୍ର କିଛି ୟୁଜର୍ସ ପରୀକ୍ଷା ଦେଉଛନ୍ତି ବୋଲି ମେସେଜିଂ ଆପ୍ର ୧୫ କୋଟି ବ୍ୟବହାରକାରୀଙ୍କ ଅଧିକାରକୁ କିପରି ସୀମିତ କରାଯାଇପାରିବ। ନିଟ୍ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ ଆପ୍ର ଅପବ୍ୟବହାର ଆଶଙ୍କା କରି କେନ୍ଦ୍ର ସରକାର ଏହି ଆପ୍ ବ୍ୟବହାର ଉପରେ କିଛି ଦିନ ବ୍ୟାନ୍ ଲଗାଇ ଦେଇଥିଲେ। ଟେଲିଗ୍ରାମ୍ ପକ୍ଷରୁ ଏହାକୁ କୋର୍ଟରେ ଚାଲେଞ୍ଜ କରାଯାଇଥିଲା। କୋର୍ଟ ଗୁରୁବାର ଶୁଣାଣି ପରେ ରାୟ ସୁରକ୍ଷିତ ରଖିଥିଲେ।










