ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ମଞ୍ଚେଶ୍ୱର ଅଞ୍ଚଳରେ ଏକ ଅଳିଆ ବୋଝେଇ ଟ୍ରକ୍ ଦମ୍ପତ୍ତିଙ୍କୁ ଧକ୍କା ଦେଇ ଚାପି ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୁର୍ଘଟଣାରେ ଦମ୍ପତ୍ତି ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଦମ୍ପତ୍ତି ଦୁଇଚକିଆ ଯାନରେ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ମଞ୍ଚେଶ୍ୱର ଅଞ୍ଚଳରେ ପଛପଟୁ ଆସୁଥିବା ଏକ ଅଳିଆ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଦମ୍ପତ୍ତି ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇଥିଲେ ।
ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତ ଦମ୍ପତ୍ତିଙ୍କୁ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ନିକଟସ୍ଥ ମେଡିକାଲକୁ ପଠାଯାଇଥିଲା । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଜଧାନୀରେ ବାରମ୍ବାର ଘଟୁଥିବା ସଡ଼କ ଦୁର୍ଘଟଣା ପ୍ରଶାସନର ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି । ବିଶେଷକରି ଅଳିଆ ବୋଝେଇ ଓ ଭାରୀ ଯାନଗୁଡ଼ିକର ଗତିବିଧି ଉପରେ ନଜରଦାରୀ ବଢ଼ାଇବାକୁ ସାଧାରଣ ଲୋକ ଦାବି କରୁଛନ୍ତି । ଏବେ ସମସ୍ତଙ୍କ ନଜର ଆହତ ଦମ୍ପତ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପୁଲିସ ତଦନ୍ତ ଉପରେ ରହିଛି ।










