କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା । ପାରିବାରିକ କଳହ ଏକ ମହିଳାଙ୍କ ଜୀବନ ନେଇଥିବା ବେଳେ, ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାମୁଡ଼ିହା ଗାଁରେ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା । ଗତକାଲି ଏହି ବିବାଦ ଉଗ୍ର ରୂପ ନେଇଥିବାବେଳେ ଉତ୍ତେଜିତ ହୋଇ ସ୍ବାମୀ ଏକ ଠେଙ୍ଗାରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଥିଲେ । ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପାଇ କେନ୍ଦୁଝର ଟାଉନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରାଯାଇଥିବାବେଳେ, ଘଟଣାର ଅଧିକ ତଦନ୍ତ ଜାରି ରହିଛି । ପାରିବାରିକ ବିବାଦକୁ କେନ୍ଦ୍ର କରି ଘଟିଥିବା ଏହି ଘଟଣା ପୁଣିଥରେ ସମାଜରେ ବଢ଼ୁଥିବା ଘରୋଇ ହିଂସା ପ୍ରତି ଚିନ୍ତା ବଢ଼ାଇଛି । ପୁଲିସ୍ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ସୂଚନା ମିଳିଛି ।










