ନୂଆଦିଲ୍ଲୀ: ତାମିଲନାଡ଼ୁରେ ଜଣେ ତିନି ବର୍ଷର ଶିଶୁ ପ୍ରତି ବର୍ବରତା ସଭ୍ୟ ସମାଜକୁ ପୁଣି ଥରେ ଲଜ୍ଜିତ କରିଛି। ତାମିଲନାଡ଼ୁର ଥିରୁଭାଲ୍ଲୁର ଜିଲ୍ଲାରେ ରବିବାର ବିସ୍କୁଟ ଲୋଭ ଦେଖାଇ ଜଣେ ପ୍ରବାସୀ ଶ୍ରମିକ ଶିଶୁଟିକୁ ନେଇଯିବା ପରେ ଯୌନ ନିର୍ଯାତନା ଦେଇଥିଲା। ରବିବାର ଶିଶୁଟିକୁ ଗୁରୁତର ଅବସ୍ଥାରେ ଏକ ବୁଦାଳିଆ ସ୍ଥାନରୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସୋମବାର ଶିଶୁଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କୁ ଏହି ମାମଲାରେ ଗିରଫ କରାଯାଇଛି।ତଦନ୍ତରୁ ଜଣାପଡିଛି ଯେ ଏହି ଘଟଣାରେ କେବଳ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିଲା। ପୁଲିସ କହିଛି ଯେ, ଉଭୟ ଅଭିଯୁକ୍ତ ଓ ପୀଡ଼ିତା ଶିଶୁ ବିହାରର ବାସିନ୍ଦା। ସମସ୍ତେ ତିରୁଭାଲୁର ଜିଲ୍ଲାର ଗୁମ୍ମିଡିପୁଣ୍ଡି ସବଡିଭିଜନ୍ ଅନ୍ତର୍ଗତ ସିପ୍କଟ୍ ଶିଳ୍ପାଞ୍ଚଳରେ ରହୁଥିଲେ। ଶିଶୁଟି ଅଭିଯୁକ୍ତକୁ ଜାଣିଥିଲା। ଅଭିଯୁକ୍ତ ବିସ୍କୁଟ ଦେଇ ଶିଶୁଟିକୁ ପ୍ରଲୋଭିତ କରି ନେଇଯାଇଥିଲା ଓ ଯୌନ ନିର୍ଯାତନା ଦେଇଥିଲା। ଅଭିଯୁକ୍ତକୁ ସ୍ଥାନୀୟ ଲୋକ ଧରି ପୁଲିସର ଜିମା ଦେଇଥିଲେ। ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ପୋକ୍ସେ ଆଇନରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏହି ଘଟଣାକୁ ନେଇ ରାଜନୈତିକ ବିବାଦ ଦେଖାଯାଇଛି। ତାମିଲନାଡ଼ୁ ବିଧାନସଭାର ବିରୋଧୀ ଦଳ ନେତା ତଥା ଡିଏମ୍କେ ବିଧାୟକ ଉଦୟନିଧି ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ଏଡାପ୍ପାଡି କେ ପଲାନିସ୍ୱାମୀ ଓ ପୂର୍ବତନ ବିଜେପି ନେତା କେ ଆନ୍ନାମଲାଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।









