ନୂଆଦିଲ୍ଲୀ : ଟେଲିଭିଜନ ଅଭିନେତ୍ରୀ ସଞ୍ଚିତା ଉଗଲେ ମହାରାଷ୍ଟ୍ରର ପାଲଘର ଜିଲ୍ଲାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଞ୍ଚିତା ‘କୁମ୍କୁମ୍ ଭାଗ୍ୟ’ ଓ ‘ୱାଗଲେ କି ଦୁନିୟା’ ପରି ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ସଞ୍ଚିତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ସଞ୍ଚିତା ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନାଲାସୋପାରା ଅଞ୍ଚଳରେ ତାଙ୍କ ଘରେ ଏକା ଥିବା ସମୟରେ ସିଲିଂ ଫ୍ୟାନରେ ଶାଢ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ ଏକ ପୁଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାସ୍ଥଳରୁ କୌଣସି ସନ୍ଦେହଜନକ ଜିନିଷ କିମ୍ବା ସୁଇସାଇଡ ନୋଟ୍ ମଧ୍ୟ ପାଇ ନାହିଁ।ପୁଲିସ କହିଛି ଯେ, ଅଭିନେତ୍ରୀଙ୍କ ବାପା ଝିଅର ମୃତ୍ୟୁ ନେଇ କାହାକୁ ଦାୟୀ କରି ନାହାନ୍ତି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି। ସେମାନେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଏହି ଚରମ ପଦକ୍ଷେପ ପଛରେ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ପୁଲିସ କହିଛି।










