ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲା ଗଙ୍ଗା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବହଜୋଇ କୋତିୱାଲି ଅଞ୍ଚଳ ଲହରାବନ ଇଣ୍ଟରଚେଞ୍ଜ ନିକଟରେ ଯାତ୍ରୀବାହୀ ଏକ ଡବଲ ଡେକର ବସ୍ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ଧକ୍କା ହୋଇ ଓଲଟିପଡିଛି। ଦୁର୍ଘଟଣାରେ ଘଟଣା ସ୍ଥଳରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭତ୍ତିର୍ କରାଯାଇଛି । ଖବର ମୁତାବକ, ଡବଲ୍ ଡେକର ବସ୍ ବହରାଇଚରୁ ପଞ୍ଜାବ ଜଳନ୍ଧର ଯାଉଥିଲା । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ, ବସ୍ ଡ୍ରାଇଭରଙ୍କୁ ନିଦ ଆସିବା କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଥିଲା । ବସ୍ ସ୍ପିଡ ଅଧିକ ଥିବାରୁ ପିଟି ହେବା ପରେ ଓଲଟି ପଡିଥିଲା । ବସ୍ ଓଲଟିବା ପରେ ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ଶୁଣିବାକୁ ମିଳିଥିଲା । ଅନେକ ଯାତ୍ରୀ ବସରେ ଫସିଯାଇଥିବାର ଦେଖି ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କରିଥିଲେ ।
ସ୍ଥାନୀୟ ଲୋକ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ । ପୋଲିସ, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । ରେସକ୍ୟୁ ଅପରେସନରେ ବସରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଆହତଙ୍କୁ ତତ୍କାଳ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ପ୍ରାଥମିକ ଉପଚାର କରିବା ପରେ ଗୁରୁତର ଆହତ ଯାତ୍ରୀଙ୍କୁ ଅନ୍ୟ ହସପିଟାଲକୁ ରେଫର କରାଯାଇଛି । ଏଠାରେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ପ୍ରଶାସନ ଲଗାତାର ସ୍ଥିତି ଉପରେ ନଜର ରଖିଛି । ଦୁର୍ଘଟଣା ପରେ ଗଙ୍ଗା ଏକ୍ସପ୍ରେସ ୱେରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପୋଲିସ କ୍ଷତିଗ୍ରସ୍ତ ବସକୁ ହଟାଇ ଯାତାୟତ ସ୍ବାଭାବିକ କରିଛି । ପୋଲିସ ଦୁର୍ଘଟଣାର କାରଣ ଯାଞ୍ଚ କରୁଛି ।










