ପୁରୀ: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ‘କ୍ଲିନ୍ ସିଟି ଡ୍ରାଇଭ୍’କୁ ଜୋରଦାର କରିଛି। ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ପୁଲିସ ଆକ୍ସନ ମୋଡକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୮ଟି ମାମଲା ରୁଜୁ ହୋଇଛି।ଭକ୍ତଙ୍କୁ ଶୋଷଣ କରୁଥିବା ଅଭିଯୁକ୍ତ ଗିରଫ ସିଂହଦ୍ୱାର ପୁଲିସ ପକ୍ଷରୁ ଦର୍ଶନ କରାଇଦେବା ନାମରେ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି। ଚଢ଼ାଉ ସମୟରେ ପୁଲିସ ବିପୁଳ ପରିମାଣର ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ଜବତ କରିଛି। ପୁଲିସ ୩ଟି ଖଣ୍ଡା, ୪ଟି ଛୁରୀ, ଲୁହା ରଡ୍, କୋରେକ୍ସ ବୋତଲ ସହ ୭୫୦ ଲିଟରରୁ ଅଧିକ ମଦ ଜବତ କରିଛି। ପୁଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ୩୦୭ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। କୋରେକ୍ସ କାରବାର ପାଇଁ ୧୯ଟି କେସରେ ୨୯ ଜଣଙ୍କୁ ଗିରଫ କରାଯାଇ ୧୬୦୦ରୁ ଅଧିକ ବୋତଲ ଜବତ ହୋଇଛି। ସେହିପରି ବ୍ରାଉନ ସୁଗାର ମାମଲାରେ ୪୭ଟି କେସରେ ୨୮ ଜଣ, ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ରେ ୬୨୩ଟି ଏବଂ ମଦ କାରବାର ପାଇଁ ୩୫୦ଟି ମାମଲା ରୁଜୁ ହୋଇଛି।










