ଅଯୋଧ୍ୟା: ରାମ ଜନ୍ମଭୂମି ମନ୍ଦିରରେ ପ୍ରଦାନ କରାଯାଇଥିବା ଦାନରେ ଅନିୟମିତତାକୁ ନେଇ ବିବାଦ ତୀବ୍ର ହୋଇଛି। ଅଭିଯୋଗର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ଗଠନ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ବିନୟ କଟିୟାର ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅଯୋଧ୍ୟାରେ ରାମ ମନ୍ଦିର ଟ୍ରଷ୍ଟର ଆର୍ଥିକ ପରିଚାଳନା ଓ ଦାନ ସମ୍ବନ୍ଧୀୟ ଅଭିଯୋଗର ଯାଞ୍ଚ ଏସ୍ଆଇଟି କରିବ। ରାମ ମନ୍ଦିର ପରିସରରେ ଦାନବାକ୍ସରୁ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ଆସିବା ପରେ ଏହି ପ୍ରସଙ୍ଗ ପ୍ରଥମେ ରାଜନୈତିକ ଦୃଷ୍ଟି ଆକର୍ଷଣ କରିଥିଲା। ଟ୍ରଷ୍ଟର ଅନୁରୋଧ କ୍ରମେ ଉତ୍ତରପ୍ରଦେଶ ସରକାର ଶନିବାର ଲକ୍ଷ୍ନୌ ଡିଭିଜନାଲ କମିସନର ବିଜୟ ବିଶ୍ୱାସ ପନ୍ତ, ପୁଲିସ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନଙ୍କୁ ନେଇ ଏକ ତିନିଜଣିଆ ଏସ୍ଆଇଟି ଗଠନ କରିଛନ୍ତି।










