ୱାଶିଂଟନ: ଆମେରିକା ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ନିଷ୍ପତ୍ତି କ୍ରମେ ଏହାର ସବୁଠାରୁ ବଡ଼ ଏବଂ ପୁରୁଣା ସାମରିକ କମାଣ୍ଡ୍ ‘ଇଣ୍ଡୋ-ପାସିଫିକ୍ କମାଣ୍ଡ’ର ନାମ ପରିବର୍ତ୍ତନ କରିଛି। ପରିବର୍ତ୍ତନ ପୂର୍ବକ ଏହି ନାମରୁ ‘ଇଣ୍ଡୋ’ ଶବ୍ଦକୁ ହଟାଯାଇ ‘ୟୁଏସ୍ ପାସିଫିକ୍ କମାଣ୍ଡ’ ରଖାଯାଇଛି। ପୂର୍ବରୁ ଭାରତ ମହାସାଗର ଅଞ୍ଚଳର ଗୁରୁତ୍ୱ ଏବଂ ଭାରତ ସହ ରଣନୀତିକ ସମ୍ପର୍କକୁ ଦର୍ଶାଇବା ପାଇଁ ଏହି କମାଣ୍ଡ୍ ନାମରେ ‘ଇଣ୍ଡୋ’ ଶବ୍ଦ ଯୋଡ଼ାଯାଇଥିଲା। କିନ୍ତୁ ଆମେରିକାର ସାମ୍ପ୍ରତିକ ପ୍ରଶାସନ ଏହି ରଣନୀତିକ ପରିସରକୁ ପୁନର୍ବାର ସୀମିତ କରି ଏଥିରୁ ଭାରତର ସଂକେତ ହଟାଇ ଦେଇଛି। ଏହି ନାମ ପରିବର୍ତ୍ତନ ସହିତ ଆମେରିକା ସେନା ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ଦଲିଲ୍ ଓ ଉପସ୍ଥାପନାରେ ଭାରତର ଏକ ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯାଇଛି ଯାହାକୁ ନେଇ ବିବାଦ ଦେଖାଦେଇଛି। ଆମେରିକା ସେନାର ଅଫିସିଆଲ୍ ସ୍ଲାଇଡ୍ ଏବଂ ଗ୍ରାଫିକ୍ସରେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର କିଛି ଅଂଶକୁ ଭାରତର ମାନଚିତ୍ରରୁ ବାଦ୍ ଦିଆଯାଇଥିବା ଦେଖିବାକୁ ମିଳିଛି ଯାହା ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ବିରୋଧାଚରଣ କରୁଛି।










