28.9 C
Bhubaneswar
Monday, June 22, 2026
Homeଓଡିଶାସରକାର ମିନାକ୍ଷୀ ନାଟରାଜନଙ୍କୁ ଭୟକରି ନାକଚ ଷଡଯନ୍ତ୍ର କରିଛି : ଭକ୍ତ

ସରକାର ମିନାକ୍ଷୀ ନାଟରାଜନଙ୍କୁ ଭୟକରି ନାକଚ ଷଡଯନ୍ତ୍ର କରିଛି : ଭକ୍ତ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ରାଜ୍ୟସଭା କଂଗ୍ରେସ ପାର୍ଥୀ ଥିବା ଗାନ୍ଧିବାଦୀ ନେତ୍ରୀ ମିନାକ୍ଷୀ ନଟରାଜନଙ୍କ ନିର୍ବାଚନ ଆୟୋଗଙ୍କ ଅସମ୍ବିଧାନିକ ପ୍ରାର୍ଥୀପତ୍ର ନାକଚ ଓ ଓଡ଼ିଶାର ତିଖିରୀ ପଞ୍ଚାୟତର ମହିଳା ସରପଞ୍ଚ ଚମେଲୀ ଓଝାଙ୍କୁ ପୁଲିସର ବେନିୟମ ଗିରଫଦାରୀ ବିରୁଦ୍ଧରେ ଆରଜିପିଆରଏସ ସଭାପତି ସୁଦର୍ଶନ ଦାସଙ୍କ ନେତୃତ୍ୱରେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ତରଫରୁ ଲୋୟର ପିଏମଜିଠାରେ ଏକ ସତ୍ୟାଗ୍ରହ ସମାବେଶ ଆୟୋଜିତ ହୋଇଥିଲା l ଏହି ସମାବେଶରେ ଯୋଗଦାନ କରି ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ବ୍ୟକ୍ତବ୍ୟରେ କହିଛନ୍ତି ଯେ, ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲଂଘନ କରି ସାମ୍ବିଧାନିକ ସଂସ୍ଥା ଗୁଡିକୁ ହାତବାରିସୀ କରି ଏକଛତ୍ରବାଦୀ ଶାସନ ଚଳାଉଛି l ନିଜ ପଞ୍ଚାୟତ ପ୍ରତି ସାବତ ପୁଅ ବ୍ୟବହାର ବିରୋଧରେ ସେ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲାବେଳେ ବିଡ଼ିଓ ମହାଶୟ ସରପଞ୍ଚ ଚମେଲୀ ଓଝାଙ୍କ ଅଭିଯୋଗକୁ ଅଣଦେଖା କଲେ ଫଳରେ ଓଝା ପ୍ରତିବାଦ କରିବାରୁ ତାଙ୍କୁ ପୁଲିସ ଲଗାଇ ଯେଉଁଭଳି ଭାବରେ ଗିରଫ କରାଇଲେ ତାହା ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଥିଲା l ଚମେଲୀ ଦେହ ଅସୁସ୍ଥ ଥିବା ସତ୍ୱେ ତାକୁ ବଡ଼ ଡାକ୍ତରଖାନାରେ ଚିକିତ୍ସା ନ କରାଇ ଜେଲରେ ପୁରାଇଲେ l ଆମ କଂଗ୍ରେସ ଦଳ ଚାରିଥର ଯାଇକି ଚମେଲୀ ଓଝାଙ୍କ ସହ ସାକ୍ଷାତ କଲା, ମୁଁ ନିଜେ ଖୋଦ ଯାଇଥିଲି l ସବୁଠୁ ଦୁଃଖର ବିଷୟ, ଏହି ନିନ୍ଦନୀୟ ଘଟଣାର କେନ୍ଦ୍ରବିନ୍ଦୁ ବିଡ଼ିଓଙ୍କୁ ଏପର୍ଯ୍ୟନ୍ତ ନିଲମ୍ବନ କରିବା ଦୂରେ ଥାଉ ବଦଳିଟିଏ ମଧ୍ୟ ସରକାର କଲେନି ଏଥିରୁ ସରକାରଙ୍କ ଶାସନ ଓ ନାରୀଙ୍କ ପ୍ରତି ସମ୍ମାନ ପ୍ରମାଣ ହେଉଛି l

ଅନ୍ୟପକ୍ଷରେ ପ୍ରଖ୍ୟାତ ଗାନ୍ଧିବାଦୀ ସାମାନ୍ୟ ଜୀବନ ଯାପନ କରି ସମାଜର ତଳବର୍ଗଙ୍କ ଅଧିକାର ପାଇଁ ସବୁବେଳେ ଲଢ଼ୁଥିବା ଲଢୁଆ ନେତ୍ରୀ ମିନାକ୍ଷୀ ନଟରାଜନଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର ନାକଚ ହେବା ଦେଶର ଗଣତନ୍ତ୍ର ପ୍ରତି ଶକ୍ତ ଆଘାତ ହୋଇଛି l ମଧ୍ୟପ୍ରଦେଶରେ ଆମ ସଂଖ୍ୟା ଥିଲା କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ନିର୍ବାଚନ ଆୟୋଗ କୁମାରୀ ନାଟରାଜନଙ୍କ ପ୍ରାର୍ଥୀ ପତ୍ର ନାକଚ କରିଦେଇଛନ୍ତି l ସରକାର ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ସାରିଲେଣି l ଏକଛତ୍ରବାଦର ଶାସନ ପ୍ରତିଷ୍ଠା କରୁଛନ୍ତି l ଯିଏ ବିରୋଧ କରୁଛି ବିଭିନ୍ନ ସଂସ୍ଥା ମାଧ୍ୟମରେ ତାକୁ ହଇରାଣ କରାଯାଉଛି l ଆମ ନେତା ରାହୁଳ ଗାନ୍ଧୀଙ୍କ ଇଚ୍ଛାଥିଲା ଜଣେ ପ୍ରଖର ଗାନ୍ଧିବାଦୀ ସରଳ ମିନାକ୍ଷୀଙ୍କୁ ରାଜ୍ୟସଭା ପଠାଇ ସମାଜର ତଳ ସ୍ତରରେ ଥିବା ବର୍ଗପାଇଁ ସ୍ୱର ଉତ୍ତୋଳନ କରିବେ କିନ୍ତୁ ସରକାର ଭୟଭୀତ ହୋଇ କିଛି କାରଣ ନ ଥାଇ ତାଙ୍କ ପ୍ରାର୍ଥୀପତ୍ର ହିଁ ନାକଚ କରି ଦିଆଗଲା l ଆମକୁ ପ୍ରତ୍ୟେକ ଅନ୍ୟାୟ ପାଇଁ ଲଢ଼ିବାକୁ ପଡ଼ିବ ଏବଂ ପ୍ରତ୍ୟେକ ଅଧିକାର ପାଇଁ ସଂଗ୍ରାମ କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଥିଲେ l ଏହି ସତ୍ୟାଗ୍ରହ ସମାବେଶରେ ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ଜଗନ୍ନାଥ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ନିମାଇଁ ସରକାର, ବରିଷ୍ଠ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର, ସାଧାରଣ ସମ୍ପାଦକ ବିଜୟ ପ୍ରଧାନ, ଡଃ ମନୀଷା ଦାସ ପଟ୍ଟନାୟକ ଏବଂ ଆରଜିପିଆରଏସର ସଦସ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking