ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋକୁଳପଲ୍ଲୀ ନିକଟସ୍ଥ ଆଇକନ ଫାର୍ମ ହାଉସରେ ଘଟିଥିବା ଏକ ସଶସ୍ତ୍ର ଡକାୟତି ଘଟଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ସଫଳତାର ସହ ପର୍ଦ୍ଦାଫାଶ କରିଛି । ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ସାମଗ୍ରୀ, ନଗଦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି । ମାମଲାର ବିବରଣୀ ଅନୁଯାୟୀ, ଗତ ଜୁନ ୧୯ ରିଖ ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ୬ ଜଣ ଦୁର୍ବୃତ୍ତ ଗୋକୁଳପଲ୍ଲୀ ଗ୍ରାମର ଶ୍ରୀ ରଜନୀକାନ୍ତ ମିଶ୍ରଙ୍କ ଫାର୍ମ ହାଉସରେ ପ୍ରବେଶ କରିଥିଲେ । ସେମାନେ ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ବାନ୍ଧି ପକାଇବା ସହ ଘରୁ ପ୍ରାୟ ୧୫ ତୋଳା ସୁନା ଅଳଙ୍କାର, ନଗଦ ୧୨,୦୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ଲୁଟ କରି ଫେରାର ହୋଇଯାଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ କବିସୂର୍ଯ୍ୟନଗର ଥାନା କେସ୍ ନଂ-୪୦୭, ଧାରା ୩୧୦(୨) ବିଏନଏସ ସହ ୨୫/୨୭ ଆର୍ମସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା ।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗଞ୍ଜାମ ଏସ୍.ପି.ଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା । ଏହି ମିଳିତ ଅପରେସନରେ କବିସୂର୍ଯ୍ୟନଗର ଥାନା, ପୋଲସରା ଆଇଆଇସି, ବାଲିପଦର ଆଉଟପୋଷ୍ଟ ଏବଂ ଆସ୍କା ଥାନାର କର୍ମଚାରୀମାନେ ସାମିଲ ହୋଇଥିଲେ । ବୈଜ୍ଞାନିକ ଦଳ ଓ ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞଙ୍କ ସହାୟତାରେ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ଗୁଇନ୍ଦା ସୂଚନା ଆଧାରରେ କଙ୍କଣାଦେଇ ମନ୍ଦିର ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ପୋଲିସ ଏହି ଚଢ଼ାଉରେ ମୁଖ୍ୟ ସୂତ୍ରଧର ସନ୍ତୋଷ ମହାପାତ୍ର ଓ ମନୋରଞ୍ଜନ ଗୌଡ଼ଙ୍କ ସମେତ ରୁଦ୍ରନାରାୟଣ ସେଠୀ, ଶୁଭମ ରାଉତ, ଜିତେନ୍ଦ୍ର ଖଟେଇ ଓରଫ ହିନ, ଦୂତିକୃଷ୍ଣ ନାୟକ ଏବଂ ରାଜୀବ କୁମାର ଦାସଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ବ୍ୟବହୃତ ଦେଶୀ ପିସ୍ତଲ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ସମେତ ଲୁଟ ସାମଗ୍ରୀ, ମୋବାଇଲ ଓ ୨ଟି ମୋଟରସାଇକେଲ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ହିତେଶ ସ୍ୱାଇଁ ଓ ଶ୍ୱେତା ଖଟେଇ ବର୍ତ୍ତମାନ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇ ରିମାଣ୍ଡରେ ଆଣିବାକୁ ଅନୁରୋଧ କରାଯାଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି।










