ମାଲକାନଗିରି: ବର୍ଷର ପ୍ରଥମ ବନ୍ୟାରେ ମାଲକାନଗିରିର କନ୍ୟାଶ୍ରମ ପୋଲ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ କାଲିମେଳାରୁ ପଡ଼ିଆ ସହ ପଡ଼ୋଶୀ ଛତିଶଗଡ଼କୁ ଯାତାୟାତ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ପାଣି ଚାଲୁଥିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ଜଣାପଡ଼ିଛି ।ବନ୍ୟାଜଳର ସ୍ତର ବଢ଼ୁଥିବାରୁ ଯାତାୟାତକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ପୋଲ ଉପରେ ଯିବା ଆସିବା ବିପଦପୂର୍ଣ୍ଣ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସେଠାରେ ଯାତାୟାତ ନକରିବାକୁ ବାରଣ କରାଯାଇଛି ।
ଅନ୍ୟପଟେ, ପୁରୁଣା ପୋଲ ନିକଟରେ ଏକ ନୂଆ ପୋଲ ନିର୍ମାଣ କାମ ଦୀର୍ଘ ୭ରୁ ୮ ବର୍ଷ ଧରି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ । ନୂଆ ପୋଲ ନିର୍ମାଣ ଶେଷ ହୋଇଥିଲେ ବନ୍ୟା ସମୟରେ ଏହି ଅଞ୍ଚଳର ଯାତାୟାତ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।ବନ୍ୟା ପରିସ୍ଥିତିକୁ ନଜରରେ ରଖି କନ୍ୟାଶ୍ରମ ପୋଲ ନିକଟରେ ପୁଲିସ ଓ ବନ ବିଭାଗର ଅଧିକାରୀମାନେ ମୁତୟନ ହୋଇଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲ ଉପରକୁ ଯିବାକୁ ବାରଣ କରାଯାଇଛି । ପରିସ୍ଥିତି ଉପରେ ପ୍ରଶାସନ ତୀକ୍ଷଣ ନଜର ରଖିଛି ।










