ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ । ସେ କହିଛନ୍ତି ଯେ, ଏହା କେବଳ ରାଜ୍ୟର ସୁରକ୍ଷା ନୁହେଁ, ବରଂ ଦେଶର ତଟବର୍ତ୍ତୀ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ତଦନ୍ତକାରୀ ଦଳ ହାତରେ କୌଣସି ଠୋସ ନିର୍ଯ୍ୟାସ ମିଳିନାହିଁ । କେବଳ କିଛି ଲୋକଙ୍କୁ ପଚରାଉଚରା କରାଯାଇଛି, ହେଲେ ବାସ୍ତବରେ ତଦନ୍ତକାରୀ ଦଳର ହାତ ବର୍ତ୍ତମାନ ଯାଏଁ ଖାଲି ଅଛି ।
ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଗୌତମବୁଦ୍ଧ ଦାସ କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି , ସୁଦୂର ଇଣ୍ଡୋନେସିଆ ଓ ମାଲେସିଆରେ ଦେଖାଯାଉଥିବା ଏହି ବିରଳ ପ୍ରଜାତିର ଓରାଙ୍ଗଉଟାନ ବାଲେଶ୍ଵରର ଭୋଗରାଇ ଅଞ୍ଚଳକୁ କିପରି ପହଞ୍ଚିଲେ, ଏହି ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରା ଚାଲାଣ ରାକେଟରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହି ଓରାଙ୍ଗଉଟାନମାନଙ୍କୁ କିଏ କିଣିଥାନ୍ତା, ସେ ନେଇ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି ।










