ଭୁବନେଶ୍ୱର: 6ମଞ୍ଚେଶ୍ବର ଜୋନାଲ କମିଟି, ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କୁ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।ଦୟା ପଶ୍ଚିମ କେନାଲ ସମ୍ପ୍ରସାରଣ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବିତ ବସ୍ତି ଉଚ୍ଛେଦ ପୂର୍ବରୁ ଯୋଗ୍ୟ ବସ୍ତିବାସିନ୍ଦାଙ୍କୁ ଆଇନସମ୍ମତ ଭାବେ ଥଇଥାନ, ପୁନର୍ବାସ ଓ ପୁନଃସ୍ଥାପନ ସୁବିଧା ପ୍ରଦାନ କରିବା ସମ୍ପର୍କରେ ଆଲୋଚନା କରାଯାଇଛି।ଦୟା ପଶ୍ଚିମ କେନାଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ପଳାଶୁଣି ମୁଣ୍ଡା ବସ୍ତି,ଓସିସି ବସ୍ତି , ଆଖଣ୍ଡଳମଣି ବସ୍ତି, ପାଟ ଦେବୀ ବସ୍ତି,ମା ଭଗବତୀ ବସ୍ତି ଓ ହାଡବାଈ ବସ୍ତିର ବାସିନ୍ଦା ସ୍ମାରକ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ଦୟା ପଶ୍ଚିମ କେନାଲ ସମ୍ପ୍ରସାରଣ ନାମରେ ସେମାନଙ୍କ ବାସଗୃହ ଉଚ୍ଛେଦ ହେବାର ସମ୍ଭାବନା ରହିଛି। ଏହି ବସ୍ତିଗୁଡ଼ିକର ଅଧିକାଂଶ ପରିବାର ଭୂମିହୀନ, ଦରିଦ୍ର, ଆର୍ଥିକ ଓ ସାମାଜିକ ଭାବେ ଦୁର୍ବଳ ବର୍ଗର ଅନ୍ତର୍ଗତ।ବହୁ ବର୍ଷ ଧରି ଏହି ସ୍ଥାନରେ ବସବାସ କରିଆସୁଛୁନ୍ତିଏବଂ ସେମାନଙ୍କ ଜୀବିକା, ଶିକ୍ଷା, ସାମାଜିକ ସୁରକ୍ଷା ଓ ଜୀବନଧାରଣର ମୂଳ ଆଧାର ଏହି ଅଞ୍ଚଳ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିଛି।
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯(୧)(ଇ) ଏବଂ ୨୧ ଅନୁଯାୟୀ ପ୍ରତ୍ୟେକ ନାଗରିକ ସମାନତା, ସ୍ୱାଧୀନ ଭାବରେ ବାସ କରିବା ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବିତାଇବାର ମୌଳିକ ଅଧିକାର ସ୍ବୀକୃତ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ Olga Tellis vs Bombay Municipal Corporation ମାମଲାରେ ସ୍ପଷ୍ଟ କରିଛନ୍ତି ଯେ ଜୀବିକାର ଅଧିକାର ଏବଂ ବାସସ୍ଥାନର ଅଧିକାର, ଅନୁଚ୍ଛେଦ ୨୧ ଅନ୍ତର୍ଗତ ବଞ୍ଚିବାର
ଅଧିକାରର ଅବିଚ୍ଛିନ୍ନ ଅଂଶ।
ସେହିପରି Sudama Singh vs Government of Delhi ଏବଂ Ajay Maken vs Union of India ମାମଲାରେ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେକୌଣସି ବସ୍ତି ଉଚ୍ଛେଦ ପୂର୍ବରୁ ପ୍ରଭାବିତ ପରିବାରମାନଙ୍କର ସର୍ଭେ, ଯୋଗ୍ୟତା ନିର୍ଦ୍ଧାରଣ, ଶୁଣାଣି ଏବଂ ପୁନର୍ବାସ ସୁନିଶ୍ଚିତ କରିବା ଆବଶ୍ୟକ।
ଏହା ସହିତ ରାଜ୍ୟ ବିଧାନସଭା ରେ ଗୃହୀତ ବସ୍ତି ବାସିନ୍ଦା ଙ୍କ ଜମି ଅଧିକାରର ବୃହତ ଉଦ୍ଦେଶ୍ୟ ହେଉଛି ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର, ବାସସ୍ଥାନ ସୁରକ୍ଷା ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ସୁଯୋଗ ପ୍ରଦାନ କରିବା। ଏହି ଆଇନର ମୂଳ ଉଦ୍ଦେଶ୍ୟକୁ ଅବମାନନା କରି କୌଣସି ବସ୍ତିବାସିନ୍ଦାଙ୍କୁ ବିକଳ୍ପ ଥଇଥାନ ବିନା ଉଚ୍ଛେଦ କରାଯିବା ଆଇନର ଅବମାନନା ହେବ।
କେନାଲ ସମ୍ପ୍ରସାରଣ ଏକ ଜନସ୍ୱାର୍ଥମୂଳକ ପ୍ରକଳ୍ପ ହୋଇପାରେ, କିନ୍ତୁ ଜନସ୍ୱାର୍ଥ ନାମରେ ଗରିବ ଓ ଭୂମିହୀନ-ଶ୍ରମଜୀବି ଲୋକଙ୍କ ସାମ୍ବିଧାନିକ ଓ ମାନବିକ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ। ଯେ କୌଣସି ସରକାରୀ ପ୍ରକଳ୍ପ ଓ ମାନବ ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସରକାର ଓ ସ୍ଥାନୀୟ ପ୍ରଶାସନର ସାମ୍ବିଧାନିକ କର୍ତ୍ତବ୍ୟ।
ଦାବି ନିମ୍ନମତେ:
1.ପ୍ରସ୍ତାବିତ ଉଚ୍ଛେଦ ପୂର୍ବରୁ ସମସ୍ତ ପରିବାରର ବିସ୍ତୃତ ସର୍ଭେ କରାଯାଉ।
2.ପ୍ରଭାବିତ ପରିବାରମାନଙ୍କୁ ଆଇନ ଅନୁଯାୟୀ ଥଇଥାନ ଓ ପୁନର୍ବାସର ଲିଖିତ ନିଶ୍ଚିତତା ପ୍ରଦାନ କରାଯାଉ।
3.ପୁନର୍ବାସ ସ୍ଥାନରେ ବାସଯୋଗ୍ୟ ଘର, ପାନୀୟ ଜଳ, ବିଦ୍ୟୁତ, ରାସ୍ତା, ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ନିଶ୍ଚିତ କରାଯାଉ।
4.ପୁନର୍ବାସ ପୂର୍ଣ୍ଣ ହେବା ପୂର୍ବରୁ କୌଣସି ଘର ଭଙ୍ଗା ନଯାଉ।
5.ଆଇନ ଅନୁଯାୟୀ ପୂର୍ବ ସୂଚନା, ଶୁଣାଣି ଓ ଆପତ୍ତି ଦାଖଲ କରିବାର ସୁଯୋଗ ଦିଆଯାଉ।
6.ଏଥିନିମନ୍ତେ ପ୍ରଭାବିତ ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରି ସ୍ୱଚ୍ଛ ଓ ନ୍ୟାୟସଙ୍ଗତ ପ୍ରକ୍ରିୟା ଅବଲମ୍ବନ କରାଯାଉ।
ବସ୍ତି ବାସିନ୍ଦା ବିନମ୍ରତାର ସହିତ କିନ୍ତୁ ଦୃଢ଼ତାର ସହ ଅନୁରୋଧ କରୁଅଛନ୍ତି ଯେ, ପୁନର୍ବାସ ଓ ଥଇଥାନର ବିକଳ୍ପ ବ୍ୟବସ୍ଥା ନକରି କୌଣସି ଉଚ୍ଛେଦ କାର୍ଯ୍ୟ ଗ୍ରହଣ ନକରାନଯାଉ। ସେମାନଙ୍କ ସାମ୍ବିଧାନିକ ଓ ଆଇନଗତ ଅଧିକାରର ସୁରକ୍ଷା ବିନା ଉଚ୍ଛେଦ କାର୍ଯ୍ୟ ଗ୍ରହଣ କରାନଯାଉ।ତେଣୁ ସେମାନଙ୍କ ନ୍ୟାୟସଙ୍ଗତ ଦାବିକୁ ତୁରନ୍ତ ବିଚାର କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସଭାପତି କମ୍ରେଡ ହେନା ଆଲୋଚନା କରିଛନ୍ତି। ବସ୍ତି ସୁରକ୍ଷା ମଞ୍ଚ , ମଞ୍ଚେଶ୍ବର ଜୋନାଲ କମିଟି ସଭାପତି ସରୋଜ ଦାସ ଙ୍କ ନେତୃତ୍ବରେ ଶତାଧିକ ବସ୍ତି ବାସିନ୍ଦା ଯୋଗ ଦେଇଥିଲେ।ପ୍ରତିନିଧି ମଣ୍ଡଳୀ ଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଆଲୋଚନା କରିଛନ୍ତି।










