ଭବାନୀପାଟଣା:ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଚିକିତ୍ସିତ ହେଇ ଜିଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର ସମୟରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ଚିକିତ୍ସା ଅବହେଳାରୁ ଶିଶୁଟି ର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି।ସୂଚନା ଅନୁଯାୟୀ ଧର୍ମଗଡ ବ୍ଲକ୍ ତେଣ୍ଡାପାଲି ପଂଚାୟତ ସତାଗୋହିରା ଗାଁ ର ଟିକଚନ ଦୁର୍ଗା ଙ୍କ ପୁଅ ଶ୍ରୀୟାଂଶୁ ଦୁର୍ଗା (୩) ଙ୍କୁ ଆଜି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହେଲେ ସମ୍ପୃକ୍ତ ରୋଗୀ ଙ୍କୁ ରକ୍ତ ଦିଆନଯିବା, ଚିକିତ୍ସାରେ ଅବହେଳା କରାଯିବା ଆଦି ଅଭିଯୋଗରେ ପରିବାର ଲୋକେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ ରାସ୍ତାରୋକ କରିଛନ୍ତି।ଏନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡଃ ସଦାନନ୍ଦ ପାଣିଗ୍ରାହୀ ଙ୍କୁ ପଚାରିବାରୁ ସମ୍ପୃକ୍ତ ଶିଶୁ ଙ୍କୁ ଅତି ମୁମୂର୍ଷ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ରବଳ ଜ୍ୱର ତଥା ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବାରୁ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଦୁର୍ଭାଗ୍ୟକୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଲା ବୋଲି “ସମାଜ” କୁ ପ୍ରତିକ୍ରିୟାରେ କହିଥିଲେ। ଏପରିକି ଜ୍ୱର ଥିବାରୁ ରକ୍ତ ଦେବା ସମ୍ଭବ ହେଇନଥିବା ଡାକ୍ତର ମତାମତ ଦେଇଥିଲେ ବୋଲି ଡଃ ପାଣିଗ୍ରାହୀ ସୂଚନା ଦେଇଥିଲେ। ଖବର ଲେଖାଯିବା ବେଳକୁ ରାସ୍ତାରୋକ ଅବ୍ୟାହତ ରହିଥିଲା।










