କେଉଁଝର: କେଉଁଝର ଯୋଡ଼ାରେ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ । ଗତକାଲି ରାତିରେ ୨୦ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ଥାନା ମୁରୁସୁଆଁ ଆଶ୍ରମ ସ୍କୁଲ ନିକଟରେ ଏକ ଅଜଣା ହାଇୱା ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରିମୁଳି ପଟୁ ଝୁମ୍ପୁରା ଆସୁଥିବା ଏକ ବାଇକ ଆରୋହୀକୁ ସମାନ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଚମ୍ପୁଆ ବ୍ଲକ କରଞ୍ଜିଆ ଗ୍ରାମର ଶମ୍ଭୁ ମହନ୍ତ । ସେ ଗାଁରୁ ଝୁମ୍ପୁରା ଯାଉଥିବା ବେଳେ ଏଭଳି ଅଭାବନୀୟ ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରୁ ହାଇୱାଟି ଫେରାର ହୋଇ ଯାଇଥିବା ବେଳେ ଝୁମ୍ପୁରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।










