38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବାଇଡେନ୍‌ଙ୍କ କାର୍ଯ୍ୟକାଳକୁ ବର୍ଷେ ପୂରିଲା : ସଫଳତା ତୁଳନାରେ ବିଫଳତା ଅଧିକ

ବାଇଡେନ୍‌ଙ୍କ କାର୍ଯ୍ୟକାଳକୁ ବର୍ଷେ ପୂରିଲା : ସଫଳତା ତୁଳନାରେ ବିଫଳତା ଅଧିକ

ୱାଶିଂଟନ:  ଆମେରିକା ରାଷ୍ଟ୍ରପତିଭାବେ ଜୋ ବାଇଡେନ୍‌ଙ୍କ କାର୍ଯ୍ୟକାଳ ଗୁରୁବାର ସୁଦ୍ଧା ଏକ ବର୍ଷ ପୂରିଯାଇଛି । ୨୦୨୧ ଜାନୁଆରୀ ୨୦ରେ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଏହି ଏକ ବର୍ଷ ମଧ୍ୟରେ ତାଙ୍କୁ ଏକାଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଦାୟିତ୍ୱ ଗ୍ରହଣ କରିବା ସମୟରେ ଆମେରିକାରେ କୋଭିଡ୍‌ର ଦ୍ୱିତୀୟ ଲହର ଅତ୍ୟନ୍ତ ସାଂଘାତିକ ରୂପ ଧାରଣ କରିଥିଲା । ଏହାସତ୍ତ୍ୱେ ବାଇଡେନ୍ ପ୍ରଥମେ କୋଭିଡ୍‌କୁ ଏତେଟା ଗୁରୁତ୍ୱର ସହ ଗ୍ରହଣ କରିନଥିଲେ । କୋଭିଡ୍ ଟିକା ପ୍ରସ୍ତୁତି ପାଇଁ ସେ କୌଣସି ତତ୍ପରତା ପ୍ରକାଶ କରିନଥିବାବେଳେ ଦେଶରେ କୋଭିଡ୍ କଟକଣା ପ୍ରତି ଏକପ୍ରକାର ଆଖି ବୁଜି ଦେଇଥିଲେ । ସେତେବେଳେ ୬୯ ପ୍ରତିଶତ ଆମେରିକୀୟ ତାଙ୍କର କୋଭିଡ୍ ନୀତିକୁ ଦୃଢ ସମର୍ଥନ ଜଣାଇଥିଲେ ।

ଏପରିକି ଜୁଲାଇ ୪ରେ ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ବାଇଡେନ୍ ଘୋଷଣା କରିଥିଲେ ଯେ ଆମେରିକାରୁ କୋଭିଡ୍ ଶେଷ ହୋଇଯାଇଛି । ତେବେ ଡେଲ୍‌ଟା ଭାରିଆଣ୍ଟ୍‌ର ଆବିର୍ଭାବ ଯୋଗୁଁ ଆମେରିକାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିଲା । ସମୟୋଚିତ ପଦକ୍ଷେପ ଗ୍ରହଣ କରିନଥିବାରୁ ବାଇଡେନ୍ ଆନ୍ତର୍ଜାତିକସ୍ତରରେ ବେଶ ସମାଲୋଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବାଇଡେନ୍ ଏ ପ୍ରସଙ୍ଗରେ ଆଖିଦୃଶିଆ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ଆମେରିକା କୋଭିଡ୍ କବଳରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନାହିଁ । ବାଇଡେନ୍‌ଙ୍କ ଶାସନ ପ୍ରାରମ୍ଭରେ ଆମେରିକାର ଅର୍ଥନୀତି ବିପର୍ଯ୍ୟୟ ଅବସ୍ଥାରେ ପହଞ୍ଚିଥିଲା । ଦେଶରେ ମୁଦ୍ରାସ୍ଫୀତି ନିମ୍ନଗାମୀ ହୋଇଥିବାବେଳେ  ଅର୍ଥନୈତିକ ମାନ୍ଦାବସ୍ଥା ଉଗ୍ରରୂପ ଧାରଣ କରିଥିଲା । ଉପରନ୍ତୁ ବେକାରୀ ସମସ୍ୟା ଏହାକୁ ଦ୍ୱିଗୁଣିତ କରିଥିଲା ।

ଏହାର ମୁକାବିଲା କରିବାକୁ ବାଇଡେନ୍ ୧.୯ ଟ୍ରିଲିୟନ ଡଲାରର ଆର୍ôଥକ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଥିଲେ । ବିରୋଧୀଙ୍କ ବିରୋଧ ଯୋଗୁଁ ବାଇଡେନ୍ ପ୍ରଶାସନ ଏହି ସମସ୍ୟାରୁ ଏପର୍ଯ୍ୟନ୍ତ ମୁକୁଳି ପାରୁନାହାନ୍ତି । ଦେଶରେ ସାମାଜିକ ପରିବର୍ତ୍ତନ ଆଣିବାକୁ ବାଇଡେନ୍ ଏକାଧିକ ଆଇନ ପ୍ରଣୟନ କରିଥିଲେ ସୁଦ୍ଧା ଏହା ଏତେଟା ଫଳପ୍ରଦ ପ୍ରମାଣିତ ହୋଇପାରିନଥିଲା । ଶପଥ ଗ୍ରହଣ କରିବାର ପ୍ରଥମ ଦିନରେ ବାଇଡେନ୍ ତାଙ୍କର ସ୍ୱାଗତ ଭାଷଣରେ କହିଥିଲେ ଯେ ‘ଆମେରିକା ଇଜ୍ ବ୍ୟାକ୍‌’ । ଅର୍ଥାତ୍ ଡୋନାଲଡ ଟ୍ରମ୍ପଙ୍କ ଶାସନରେ ଦେଖାଦେଇଥିବା ଅବ୍ୟବସ୍ଥାରୁ ବର୍ତ୍ତିବାକୁ ଆମେରିକା ପ୍ରସ୍ତୁତ ହୋଇଛି । ବିଗତ ଏକ ବର୍ଷ ମଧ୍ୟରେ ବାଇଡେନ୍ ଆମେରିକାବାସୀଙ୍କ ମଧ୍ୟରେ ଏହି ବିଶ୍ୱାସ ଜନ୍ମାଇବାରେ ବିଫଳ ହୋଇଥିବା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ଆନ୍ତର୍ଜାତିକସ୍ତରରେ ମଧ୍ୟ ବାଇଡେନ୍ ସେଭଳି ପ୍ରଭାବ ବିସ୍ତାର କରିପାରିନାହାନ୍ତି । ତାଇୱାନ୍ ପ୍ରସଙ୍ଗ ନେଇ ଚୀନ୍‌କୁ ନିୟନ୍ତ୍ରଣରେ ରଖିବାରେ ଆମେରିକା ଏକପ୍ରକାର ବିଫଳ ହୋଇଛି । ଆଫ୍‌ଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରି ସେଠାରେ ତାଲିବାନ ଆତଙ୍କବାଦୀଙ୍କ ହାତକୁ କ୍ଷମତା ଟେକିଦେବା ବାଇଡେନ୍‌ଙ୍କ ବିଦେଶ ନୀତିର ସବୁଠାରୁ ବଡ ବିଫଳତା ବୋଲି କୁହାଯାଉଛି । ବର୍ତ୍ତମାନ ୟୁକ୍ରେନ୍ ଉପରେ ରୁଷ୍‌ର ସମ୍ଭାବ୍ୟ ଆକ୍ରମଣକୁ ନେଇ ଆମେରିକା ଓ ତାହାର ପାଶ୍ଚାତ୍ୟ ସହଯୋଗୀ ରାଷ୍ଟ୍ରଗୁଡିକ ଚିତ୍କାର କରୁଥିଲେ ସୁଦ୍ଧା ରୁଷ୍ ଏଥିପ୍ରତିି କର୍ଣ୍ଣପାତ କରୁନାହିଁ । ଆମେରିକାର କଡା କଟକଣା ସତ୍ତ୍ୱେ ଭାରତ ଇତିମଧ୍ୟରେ ରୁଷ୍ ନିକଟରୁ ଏସ୍‌-୪୦୦ କ୍ଷେପଣାସ୍ତ୍ର କିଣିସାରିଥିଲେ ସୁଦ୍ଧା ବାଇଡେନ୍ ପ୍ରଶାସନ ଭାରତ ବିରୋଧରେ କଟକଣା ଲାଗୁ କରିବାକୁ କୁଣ୍ଠାବୋଧ କରୁଛି । ପୁନଶ୍ଚ ଉପରାଷ୍ଟ୍ରପତି କମଳା ହାରିସଙ୍କ ସହ ବାଇଡେନ୍‌ଙ୍କ ସମ୍ପର୍କ ତିକ୍ତ ହେଉଥିବାରୁ ଏହାର କୁପ୍ରଭାବ ମଧ୍ୟ ପରିଲକ୍ଷିତ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଇଡେନ୍‌ଙ୍କ ଶାସନର ପ୍ରଥମ ବର୍ଷକୁ ବିଫଳତାର ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking