29.4 C
Bhubaneswar
Saturday, May 4, 2024
Homeଖେଳଷ୍ଟୋଇନିସ୍‌ଙ୍କ ଅପରାଜିତ ଶତକ: ୬ ୱିକେଟ୍‌ରେ ହାରିଲା ଚେନ୍ନାଇ; ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ର ପଞ୍ଚମ ବିଜୟ

ଷ୍ଟୋଇନିସ୍‌ଙ୍କ ଅପରାଜିତ ଶତକ: ୬ ୱିକେଟ୍‌ରେ ହାରିଲା ଚେନ୍ନାଇ; ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ର ପଞ୍ଚମ ବିଜୟ

ଚେନ୍ନାଇ: ମାର୍କସ୍ ଷ୍ଟୋଇନିସ୍‌ଙ୍କ ଶତକ ଏବଂ ନିକୋଲାସ୍ ପୂରନ୍‌ଙ୍କ ଧୂଆଁଧାର ଇନିଂସ୍ ବଳରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ବିପକ୍ଷରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ରୋମାଞ୍ଚକର ୬ ୱିକେଟ୍‌ର ବିଜୟ ହାସଲ କରିଛି । ମଙ୍ଗଳବାର ସ୍ଥାନୀୟ ଏମ୍‌ଏ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଚଳିତ ଆଇପିଏଲ୍ ସିଜନ୍‌ର ୩୯ତମ ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ର ପାଇଥିବା ଚେନ୍ନାଇ କ୍ୟାପ୍‌ଟେନ୍ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ଅପରାଜିତ ଶତକ ଏବଂ ଶିଭମ୍ ଦୁବେଙ୍କ ୬୬ ରନ୍ ବଳରେ ୪ ୱିକେଟ୍ ହରାଇ ୨୧୦ ରନ୍ କରିଥିଲା । ଜବାବରେ ଲକ୍ଷ୍ନୌ ୧୯.୩ ଓଭର୍‌ରେ ୪ ୱିକେଟ୍ ବିନିମୟରେ ୨୧୩ ରନ୍ କରି ବିଜୟୀ ହୋଇଛି । ଅନ୍ତିମ ଓଭର୍‌ରେ ଟିମ୍‌କୁ ୧୭ ରନ୍‌ର ଆବଶ୍ୟକତା ଥିବାବେଳେ ମୁସ୍ତାଫିଜୁର୍‌ଙ୍କୁ ଦୁଇଟି ଛକା ଓ ଦୁଇଟି ଚୌକା ମାରି ଷ୍ଟୋଇନିସ୍ ମ୍ୟାଚ୍ ଶେଷ କରିଥିଲେ । ଏହା ଚଳିତ ସିଜନ୍‌ରେ ୮ଟି ମ୍ୟାଚ୍‌ରୁ ଲକ୍ଷ୍ନୌର ଲଗାତାର ଦ୍ୱିତୀୟ ଏବଂ ଚତୁର୍ଥ ବିଜୟ ହୋଇଥିବା ବେଳେ ଚେନ୍ନାଇର ଲଗାତାର ଦ୍ୱିତୀୟ ପରାଜୟ ।

୨୧୧ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌକୁ ଦୀପକ ଚହର୍ ପ୍ରଥମ ଓଭର୍‌ରେ କ୍ୱିଣ୍ଟନ୍ ଡି କକ୍ (୦)ଙ୍କୁ ଆଉଟ୍ କରି ପ୍ରଥମ ଝଟ୍‌କା ଦେଇଥିଲେ । ୩୩ ରନ୍‌ର ସ୍କୋର୍‌ରେ ମୁସ୍ତାଫିଜୁର୍ ରହମାନ୍ କ୍ୟାପ୍‌ଟେନ୍ କେଏଲ୍ ରାହୁଲ(୧୬)ଙ୍କୁ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ହାତରେ କ୍ୟାଚ୍ କରାଇ ଚେନ୍ନାଇକୁ ଦ୍ୱିତୀୟ ସଫଳତା ଦେଇଥିଲେ । ତୃତୀୟ ୱିକେଟ୍ ପାଇଁ ମାର୍କସ୍ ଷ୍ଟୋଇନିସ୍‌ଙ୍କ ସହ ୫୫ ରନ୍ ଯୋଗ କରିବା ପରେ ଇମ୍ପାକ୍ଟ ପ୍ଲେୟର୍ ଦେବଦତ୍ତ ପାଡିକ୍କଲ୍ ବ୍ୟକ୍ତିଗତ ୧୩ ରନ୍‌ରେ ପାଥିରାନାଙ୍କ ଶିକାର ହୋଇଥିଲେ ।

୮୮ ରନ୍‌ରେ ଲକ୍ଷ୍ନୌ ୩ ୱିକେଟ୍ ହରାଇବା ପରେ ଷ୍ଟୋଇନିସ୍‌ଙ୍କ ସହ ନିକୋଲାସ୍ ପୂରନ୍ ଜୋରଦାର ବ୍ୟାଟିଂ କରି ୩୩ ବଲ୍‌ରେ ୭୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ । ପୂରନ୍ ୧୫ ବଲ୍‌ରେ ୩ ଚୌକା ଓ ୨ ଛକା ସହାୟତାରେ ୩୪ ରନ୍ କରି ପାଥିରାନାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଏହାପରେ ୨୬ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଷ୍ଟୋଇନିସ୍ ୫୬ ବଲ୍‌ରେ ଶତକ ହାସଲ କରିଥିଲେ । ସେ ୬୩ ବଲ୍‌ରେ ୧୩ ଚୌକା ଓ ୬ ଛକା ସହାୟତାରେ ୧୨୪ ରନ୍ କରି ଶେଷ ପର୍ଯ୍ୟନ୍ତ ଆଉଟ୍ ହୋଇନଥିଲେ । ଚେନ୍ନାଇ ପକ୍ଷରୁ ମହୀଶା ପାଥିରାନା ଦୁଇଟି ୱିକେଟ୍ ନେଇଥିବା ବେଳେ ମୁସ୍ତାଫିଜୁର୍ ଓ ଦୀପକ ଚହର୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ପ୍ରଥମ ଓଭର୍‌ରେ ହିଁ ପ୍ରଥମ ଝଟ୍‌କା ଲାଗିଥିଲା । ପ୍ରଥମ ଓଭର୍‌ର ଶେଷ ବଲ୍‌ରେ ମ୍ୟାଟ୍ ହେନ୍‌ରୀ ୱିକେଟ୍‌କିପର୍ କେଏଲ୍ ରାହୁଲଙ୍କ ଦ୍ୱାରା ଓପ୍ନର୍ ଆଜିଙ୍କ୍ୟ ରାହାଣେ (୧)ଙ୍କୁ ଆଉଟ୍ କରିଥିଲେ । ଏହାପରେ କ୍ୟାପ୍‌ଟେନ୍ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୪୫ ରନ୍ ଯୋଡ଼ିବା ପରେ ଡାରିଲ୍ ମିଚେଲ୍ (୧୧) ଆଉଟ୍ ହୋଇଥିଲେ । ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଫେରିବା ପରେ ଶିଭମ୍ ଦୁବେଙ୍କ ସହ ମିଶି ଗାଏକ୍‌ୱାଡ୍ ୪୬ ବଲ୍‌ରେ ୧୦୪ ରନ୍‌ର ଭାଗୀଦାରି କରି ଟିମ୍ ସ୍କୋର୍ ୨୦୦ ରନ୍ ପାର୍ କରାଇଥିଲେ । ଶିଭମ୍ ଦୁବେ ୨୭ ବଲ୍‌ରେ ୩ ଚୌକା ଓ ୭ ଛକା ସହାୟତାରେ ୬୬ ରନ୍ କରି ରନ୍‌ଆଉଟ୍ ହୋଇଥିଲେ ।

ଗାଏକ୍‌ୱାଡ୍ ୬୦ ବଲ୍‌ରେ ୧୨ ଚୌକା ଓ ୩ ଛକା ସହାୟତାରେ ୧୦୮ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିଲେ । ସେ ୫୬ ବଲ୍‌ରେ ୧୧ ଚୌକା ଓ ୩ ଛକା ସହାୟତାରେ ଚଳିତ ସିଜନ୍‌ର ପ୍ରଥମ ଏବଂ ଆଇପିଏଲ୍ କ୍ୟାରିୟର୍‌ର ଦ୍ୱିତୀୟ ଶତକ ପୂରଣ କରିଥିଲେ । ଏହା ସହିତ ସେ ଶତକ ହାସଲ କରିବାରେ ଚେନ୍ନାଇର ପ୍ରଥମ କ୍ୟାପ୍‌ଟେନ୍ ହୋଇଛନ୍ତି । ସେହିପରି କ୍ୟାପ୍‌ଟେନ୍ ଭାବେ ଟିମ୍ ପକ୍ଷରୁ ସର୍ବାଧିକ ରନ୍‌ର ଇନିଂସ୍ ଖେଳିବାରେ ସେ ଧୋନି(୮୪ ରନ୍‌)ଙ୍କ ରେକର୍ଡକୁ ପଛରେ ପକାଇଛନ୍ତି । ଏହା ବ୍ୟତୀତ ଓପ୍ନର୍ ଭାବେ ୨୦୦୦ ରନ୍ ପୂରଣ କରିବାରେ ଟିମ୍‌ର ପ୍ରଥମ ଖେଳାଳି ହୋଇଛନ୍ତି । ଧୋନି ୪ ରନ୍‌ରେ ଅପରାଜିତ ରହିଥିଲେ । ଲକ୍ଷ୍ନୌ ପକ୍ଷରୁ ମ୍ୟାଟ୍ ହେନ୍‌ରୀ, ମୋହସିନ୍ ଖାନ୍ ଓ ୟଶ୍ ଠାକୁର୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking