29.1 C
Bhubaneswar
Monday, May 6, 2024
Homeଓଡିଶାସଂକଟରେ ବାଉଁଶ କାରିଗର : ବିଲୁପ୍ତ ଅବସ୍ଥାରେ କୁଟୀର ଶିଳ୍ପ

ସଂକଟରେ ବାଉଁଶ କାରିଗର : ବିଲୁପ୍ତ ଅବସ୍ଥାରେ କୁଟୀର ଶିଳ୍ପ

ବୈପାରିଗୁଡା – ବୈଷୟିକ ଯୁଗରେ ଇସ୍ପାତ, ଫାଇବର ଓ ପ୍ଲାଷ୍ଟିକ ଜାତ ସାମଗ୍ରୀର ଚାହିଦା ବୃଦ୍ଧି ପାଇବା କାରଣରୁ ବାଉଁଶ ତିଆରି ସାମଗ୍ରୀର ଚାହିଦା କ୍ରମଶଃ ହ୍ରାସ ପାଉଛି।ଆର୍ଥିକ ଦୃଷ୍ଟିରୁ ଅଣବାଉଁଶ କଞ୍ଚାମାଲରୁ ପ୍ରସ୍ତୁତ ଦ୍ରବ୍ୟ ଶସ୍ତା ଓ ସୁନ୍ଦର ହେଉଥିବା କାରଣରୁ ଗ୍ରାହକଙ୍କ ପ୍ରଥମ ପସନ୍ଦ ହେଉଥିବା ସମୟରେ ଅପେକ୍ଷାକୃତ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ବାଉଁଶ ନିର୍ମିତ ଦ୍ରବ୍ୟ ଗ୍ରାହକଙ୍କୁ ଆକର୍ଷିତ କରିପାରୁନଥିବାର ଖବର ମିଳିଛି। ତେବେ ବାଉଁଶ ପ୍ରସ୍ତୁତ ସାମଗ୍ରୀ ବଜାର ଅର୍ଥନୀତିରେ ଏଭଳି ତାରତମ୍ୟ କାରଣରୁ ପିଢି ପରେ ପିଢି ଏହି ବେଉସାରେ ନିମଗ୍ନ କାରିଗରୀ ପରିବାର ବର୍ତ୍ତମାନ ଦୁର୍ଦ୍ଦିନରେ କାଳାତିପାତ କରିବାକୁ ବାଧ୍ୟ ହୋଇଛନ୍ତି।ଆଧୁନିକ ମଣିଷର ପାଶ୍ଚାତ୍ୟ ଚଳଣି ମାନସିକତା ସହ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଉତ୍କଳ ରାଜ୍ୟର ଏହି କୁଟୀର ଶିଳ୍ପଟି ଅଧୁନା କବରପ୍ରାପ୍ତ ଅବସ୍ଥାରେ ପହଞ୍ଚିଥିବାର ଜଣାପଡିଛି।ବିକଳ୍ପ ପନ୍ଥା ନ ଥିବାରୁ ବଂଶାନୁକ୍ରମିକ ଭାବେ ଏହି କାରିଗରୀ ବୃତ୍ତିରେ ନିୟୋଜିତ ଶହ ଶହ ସଂଖ୍ୟାର ବାଉଁଶ କାରିଗର ପରିବାର ନିଜ ପରିବାର ଭରଣ ପୋଷଣ ନିମନ୍ତେ ମଧ୍ୟ ଅସମର୍ଥ ଥିବା ଅଭିଯୋଗ ହୋଇଛି।କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର କେରାପୁଟ ଗ୍ରାମର ଅନେକ ପରିବାର ଏହି କୌଳିକ ବୃତ୍ତି ଉପରେ ନିର୍ଭରଶୀଳ। ବାଉଁଶ ପାତିଆରେ ପ୍ରସ୍ତୁତ ଝୁଡି,ପାଛିଆ ସହ ବିଭିନ୍ନ ଘରକରଣା ସାମଗ୍ରୀକୁ ବିଭିନ୍ନ ହାଟ ବଜାରରେ ବିକ୍ରି କରି ଏହି ବାଉଁଶ ବୁଣାକାର ପରିବାର ସେମାନଙ୍କ ପରିବାର ପ୍ରତିପୋଷଣ କରିଆସୁଥିବା ସମୟରେ ବର୍ତ୍ତମାନ ବଜାରରେ ଏଗୁଡିକର ଚାହିଦା ହ୍ରାସ ପାଉଥିବାରୁ ଏହି କାରିଗର ପରିବାର ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାର ଖବର ମିଳିଛି।ଅନ୍ୟପକ୍ଷେ ଏହି କୁଟୀର ଶିଳ୍ପର ପ୍ରୋତ୍ସାହନ ଦିଗ ପ୍ରତି ସରକାର ଆଖିବୁଜି ଦେଇଥିବାରୁ ଏହି କାରିଗରି ବିଦ୍ୟା ଦିନେ ଧରାପୃଷ୍ଟରୁ ଲୋପ ପାଇଯିବାର ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି।ତେବେ ପ୍ରତିକୂଳ ପରିସ୍ଥିତି ସତ୍ୱେ କେରାପୁଟ ଗ୍ରାମର ଚିହ୍ନଟ ୨ଟି ପରିବାର ଏହି କୌଳିକ ବୃତ୍ତିକୁ ଅଦ୍ୟାବଧି ବଜାୟ ରଖିଥିବାର ଜଣାପଡିଛି।ସେମାନେ ବାଉଁଶ ତିଆରି କୁଲା, ଡାଲା, ଟୋକେଇ, ଝୁଡି ,ପାଛିଆ,ବିଭିନ୍ନ ପ୍ରକାର ଘୋରେଇ ଉପକରଣ ମାନ ପ୍ରସ୍ତୁତ କରି ହାଟ ବଜାରରେ ବିକ୍ରି କରି ଏହି ବଂଶାନୁକ୍ରମିକ କାରିଗରୀ ବିଦ୍ୟାକୁ ଜୀବିକା ନିର୍ବାହର ପ୍ରମୁଖ ମାଧ୍ୟମ କରିଥିବାର ଜଣାପଡିଛି।ଏହି କୌଳିକ ବୃତ୍ତିରେ ପରିବାର ପ୍ରତିପୋଷଣ କରୁଥିବା ୪୦ ବର୍ଷୀୟ ମଧୁ ନାୟକ କୁହନ୍ତି ‘ବଜାରରେ ବାଉଁଶ ପ୍ରସ୍ତୁତି ସାମଗ୍ରୀର ଚାହିଦା କମି ଆସୁଥିବାରୁ ଏଥିରୁ ରୋଜଗାର କରି ପରିବାର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି’।ଏହି କାରଣରୁ ନୂତନ ପିଢି ଏହି କୌଳିକ ବୃତ୍ତିକୁ ଗ୍ରହଣ କରିବାକୁ ଆଦୌ ପସନ୍ଦ କରୁନାହାଁନ୍ତି ବୋଲି ମଧୁ ନାୟକ ଏକ ଆବେଗପୂର୍ଣ୍ଣ କଣ୍ଠରେ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷେ ଜଙ୍ଗଲରେ କଞ୍ଚାମାଲର ଅଭାବ ସହ ଦୂର ଦୂରାନ୍ତରୁ ଅଧିକ ଦରରେ ବାଉଁଶ କିଣିବାକୁ ପଡୁଥିବାରୁ ପାରିଶ୍ରମିକକୁ ମିଶାଇ ଦର କଷିଲା ବେଳକୁ ଗ୍ରାହକ ଛତ୍ରଭଙ୍ଗ ଦେଉଥିବାର ବାଷ୍ପରୁଦ୍ଧ କଣ୍ଠରେ ପ୍ରକାଶ କରିଛନ୍ତି ବୟ୍ୟୋବୃଦ୍ଧ ବାଉଁଶ କାରିଗର ବୁଦୁ ଖିଲ ।ବୈପାରିଗୁଡା ଅଞ୍ଚଳରେ ଏହି ବାଉଁଶ ବୁଣାକାର ପରିବାର ଘରେ ପ୍ରସ୍ତୁତି ବିଭିନ୍ନ ସାମଗ୍ରୀକୁ ବୈପାରିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳ ଗୁଡିକରେ ବୁଲି ବିକ୍ରି କରୁଛନ୍ତି।ହେଲେ ଉଚିତ୍‍ ପାରିଶ୍ରମିକ ମିଳୁନଥିବାରୁ ଏମାନଙ୍କ ଆର୍ଥିକ ମାନଦଣ୍ଡରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ବିବର୍ତ୍ତନବାଦ ସମାଜରେ ଦ୍ରୁତ ପରିବର୍ତ୍ତନ ଘଟୁଥିବା ସମୟରେ ଏମାନଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ଘଟୁନାହିଁ। ଅର୍ଥାଭାବ କାରଣରୁ ସମ୍ପୃକ୍ତ କାରିଗର ପରିବାର ମୁଣ୍ଡ ଉପରେ ଛାତଟିଏ ତୋଳିବାକୁ ସକ୍ଷମ ହୋଇପାରୁନଥିବା ସମୟରେ ଝାଟିମାଟି ଘରେ ଏହି କାରିଗର ପରିବାର ଜୀବନ ଅତିବାହିତ କରିବା ନିମନ୍ତେ ବାଧ୍ୟ ହେଉଥିବାର ଅଭିଯୋଗ ହୋଇଛି।ତେବେ ସହଜ ଓ ସ୍ୱଳ୍ପ ମୂଲ୍ୟରେ କଞ୍ଚାମାଲ ଯୋଗାଣ ସମେତ ଉତ୍ପାଦିତ ବାଉଁଶ ତିଆରି ସାମଗ୍ରୀର ବିପଣନ ବ୍ୟବସ୍ଥା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ଜୀବନ ଧାରଣର ମାନ ଉନ୍ନତି କଳ୍ପେ ସରକାର ସେମାନଙ୍କୁ ବିଧିବଦ୍ଧ ରୂପେ ଚିହ୍ନଟ କରି ବୈଷୟୀକ ତାଲିମ ପ୍ରଦାନ କରିବା ସହ ଆର୍ଥିକ ପ୍ରୋତ୍ସାହନ ନିମନ୍ତେ ସୁଚିନ୍ତିତ ପରିକଳ୍ପନା ନକରିଲେ ଏହି କାରିଗର ଗୋଷ୍ଠୀ ଦିନେ କାଳର କରାଳ ଗର୍ଭରେ ବିଲୀନ ହେବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ବିଶ୍ୱାସ କରାଯାଉଛି।
ରିପୋର୍ଟ – ବନଲତା ଲେଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking