30.1 C
Bhubaneswar
Monday, May 6, 2024
Homeଓଡିଶାମାଟି ଘୋଡ଼ାର ଗାଁ' ଗୁଡୁଦା : ମିଳୁନି ସରକାରୀ ସହାୟତା

ମାଟି ଘୋଡ଼ାର ଗାଁ’ ଗୁଡୁଦା : ମିଳୁନି ସରକାରୀ ସହାୟତା

ବାଲେଶ୍ୱର : ମାଟି ଘୋଡ଼ାର ଗାଁ’ ଗୁଡୁଦା । ପୂର୍ବପୁରୁଷରୁ ମାଟିରେ ଗଢ଼ୁଛନ୍ତି ଘୋଡ଼ାଠାରୁ ଆରମ୍ଭକରି ହାତୀ ଏବଂ ବିଭିନ୍ନ ପ୍ରକାର ମାଟିର ସାମଗ୍ରୀ । ଆଜିର ବୈଜ୍ଞାନିକ ଯୁଗରେ କୌଳିକ ବୃତ୍ତି ଲୋପ୍ ପାଇବାକୁ ବସିଥିବା ବେଳେ ପୂର୍ବପୁରୁଷ ଧରି ସେମାନେ ଏହି କୂଳବେଉସାକୁ ବଞ୍ଚାଇ ରଖିଛନ୍ତି । ଆଉ ଲୋକଙ୍କ ଚାହିଦା ଅନୁସାରେ ସେମାନଙ୍କୁ ମାଟିର ବିଭିନ୍ନ ସାମଗ୍ରୀ ଗଢ଼ି ଦେଉଛନ୍ତି । ହେଲେ ଆଜି ବି ସେମାନେ ଅବହେଳିତ । ସରକାର ଶିଳ୍ପର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସେମାନେ କିନ୍ତୁ ସରକାରୀ ପ୍ରୋତ୍ସାହନ ପାଇବାରୁ ବଞ୍ôଚତ ହେଉଛନ୍ତି । ଏଭଳି ଏକ ଗାଁ’ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଗୁଡୁଦାପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଡୁଦା ଗ୍ରାମରେ ।

ରେମୁଣା ବ୍ଲକ୍‌ରେ ରହିଛି ଗୁଡୁଦା ଗାଁ’ । ଏହି ଗାଁ’ କେବଳ ମାଟିରେ ହାତୀ ଘୋଡାଠାରୁ ଆରମ୍ଭକରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସେମାନଙ୍କର ପରିବାର ଚଳାଇଥାଆନ୍ତି । ଏହା ତାଙ୍କର କୂଳ ବେଉସା ହୋଇଥିବା ବେଳେ ଗାଁ’ରେ ରହିଛି ୭୨ଘର । ଅର୍ଥାତ ୪ଶହରୁ ଅଧିକ ଲୋକେ ଏହି କାର୍ଯ୍ୟ କରନ୍ତି । ବିଶେଷକରି ସେମାନେ ମାଟିରେ ଘୋଡ଼ା, ହାତୀ, ମାଟିହାଣ୍ଡି, ଜାଣୁଆ, ଝୁଣାସରା, ମୁଖୀ, ମାଠିଆ, ଢାଳ, ଢଙ୍କାଢ଼ାଳ, ପିଠାପଥିରି, ଆଟିକା, ବଡ଼ଘୋଡ଼ା, ବଡ଼ହାତୀ ପ୍ରଭୃତି ତିଆରି କରନ୍ତି । ପାଖାପାଖି ୬୦ରୁ ଅଧିକ ପ୍ରକାର ସାମଗ୍ରୀ ଏମାନେ ପ୍ରସ୍ତୁତ କରିଥା’ନ୍ତି ଏବଂ ଗୋଟିଏ ମାସରେ ବଡ଼ଭାଟିରେ ଥରେ ବିଭିନ୍ନ ସାମଗ୍ରୀ ପୋଡ଼ାଯାଉଥିବା ବେଳେ ଛୋଟ ଛୋଟ ୩ଟି ଭାଟିରେ ମଧ୍ୟ ପୋଡ଼ି ସାମଗ୍ରୀ ପ୍ରସ୍ତୁତ କରନ୍ତି । ଏଥିରୁ ଯାହା ଅର୍ଥ ଉପାର୍ଜନ ହୁଏ ସେଥିରୁ ପରିବାର ପ୍ରତିପୋଷଣ କରନ୍ତି । ତେବେ ଗ୍ରାମର କିଛି ବ୍ୟକ୍ତି କହନ୍ତି ଗ୍ରାମଠାରୁ ୫କି.ମି ଦୂରରେ ଥିବା ଗଙ୍ଗାହାର ନଦୀ ନିକଟରୁ କଞ୍ଚାମାଲ ଅର୍ଥାତ ମାଟି, କାଠ ଏବଂ କୁଟା ଆଦି କିଣିଥାଆନ୍ତି । ବିଶେଷକରି ଗୋଟିଏ ବଡ଼ଭାଟିରେ ସାମଗ୍ରୀକୁ ପୋଡ଼ିବା ପାଇଁ ୪୦ବୋଝ ଅର୍ଥାତ୍ ୨୦କ୍ୱିଣ୍ଟାଲ ମାଟିର ଆବଶ୍ୟକତା ପଡ଼ିଥାଏ । ସେମାନେ ଏହାକୁ ୨ହଜାରରୁ ଅଧିକ ମୂଲ୍ୟଦେଇ କିଣିଥାଆନ୍ତି । ଏପରିକି ବର୍ତ୍ତମାନ ସ୍ଥିତିରେ ଭଲ ମାଟି ମିଳୁନଥିବା ବେଳେ ସେମାନେ ମାଟି ପାଇବା ପାଇଁ ବହୁ ହଇରାଣ ହେଉଛନ୍ତି ।

ମୋଟ ଉପରେ କହିବାକୁ ଗଲେ ଗୋଟିଏ ଭାଟିରେ ବିଭିନ୍ନ ସାମଗ୍ରୀ ପୋଡିବା ପାଇଁ ୩୦ହଜାର ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ସାମଗ୍ରୀଗୁଡିକୁ ୧୦ଟଙ୍କାରୁ ଆରମ୍ଭକରି ୨ଶହ ଟଙ୍କା ପର୍ଯ୍ୟନ୍ତ ଏହାକୁ ସେମାନେ ବାହାରେ ବିକ୍ରି କରିଥାଆନ୍ତି । ଏପରିକି ଏହି ସମସ୍ତ ସାମଗ୍ରୀ ଲୋକାଲ ମାର୍କେଟରେ ବିକ୍ରି ହେବା ସହ ଜିଲ୍ଲାର ନୀଳଗିରି, ବାହାନଗା ସମେତ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା, ଉଦଳା, ବେତନଟୀ ଆଦି ବିଭିନ୍ନ ସ୍ଥାନକୁ ସେମାନଙ୍କର ସାମଗ୍ରୀ ରପ୍ତାନୀ କରାଯାଇଥାଏ । ତେବେ ସେମାନଙ୍କୁ ଆଜିଯାଏଁ କୌଣସି ପ୍ରକାର ସରକାରୀ ସହାୟତା ମିଳିପାରୁ ନାହିଁ । କୁଟୀର ଶିଳ୍ପ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଅର୍ଥ ବ୍ୟୟବରାଦ କରାଯାଉଥିବା ବେଳେ ସେମାନଙ୍କଠାରେ କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରୁ ନାହିଁ । ଏଣୁ ସରକାରୀ ସ୍ତରରେ ସେମାନଙ୍କୁ ଇଲେକ୍ଟ୍ରି ଚୂଲା ସହ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେବାକୁ ଦାବି କରିଛନ୍ତି ।

ଅନ୍ୟପଟେ ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିବାରୁ ସେ କହନ୍ତି, କେନ୍ଦ୍ର ସରକାର କୁଟୀରଶିଳ୍ପ ପାଇଁ ବହୁ ଯୋଜନା କରୁଛନ୍ତି ଏବଂ ଏହି ଯୋଜନା ମଧ୍ୟରେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ଗୁଡୁଦା ଗାଁ’କୁ ଏ ନେଇ ସହାୟତା ଯୋଗାଇ ଦିଆଯିବ । ସେମାନେ ଲୋକାଲ୍‌ସ୍ତରରେ ସେମାନଙ୍କ ଆଧାରକାର୍ଡ ସହ ଆବଶକୀୟ କାଗଜପତ୍ର ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ଏହାଛଡା କେନ୍ଦ୍ର ସରକାରଙ୍କ ପକ୍ଷରୁ କାରିଗରମାନଙ୍କୁ ଟେରାକୁଟା କାମ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ କୁମ୍ଭାର ଚକ, ମାଟିଚକଡ଼ା ଯନ୍ତ୍ର ମଧ୍ୟ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି । ତେବେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ହେଲେ ସେମାନଙ୍କୁ ସରକାରୀ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking