28.1 C
Bhubaneswar
Friday, May 3, 2024
Homeଓଡିଶାପ୍ରେମରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ,ଶେଷରେ ପୋଲିସ କାବୁ କଲା

ପ୍ରେମରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ,ଶେଷରେ ପୋଲିସ କାବୁ କଲା

ବଲାଙ୍ଗିର, : ପ୍ୟାର୍ କେ ସାଇଡ ଇଫେକ୍ତସ୍ । ପ୍ରେମ ପାଇଁ ଉନ୍ମତ୍ତ କାଣ୍ଡ ଭିଏଁଇଲା ଯୁବକ । ପାଖାପାଖି ଦୀର୍ଘ ୫ ଘଂଟାର ଉଦ୍ୟମ ପରେ ପୋଲିସ କାବୁ କରିବାରେ ସଫଳତା ପାଇଲା । ସ୍ଥାନୀୟ ଶାନ୍ତିପଡ଼ାର ଚନ୍ଦ୍ରଶେଖର ମନ୍ଦିର ସମ୍ମୁଖ ମଦନ ମୋହନ ହୋତାଙ୍କ ଘର ଭିତରକୁ ଆଜି ପୂର୍ବାହ୍ନ ପାଖାପାଖି ୯ଟା ସମୟରେ ପଶି ବନ୍ଧୁକ ମୁନରେ ପରିବାର ସଦସ୍ୟଙ୍କୁ ବନ୍ଧକ ରଖିଥିଲା ବନ୍ଧୁକଧାରୀ ବିକ୍ରମ ପଣ୍ଡା । ତେବେ ଟାଉନ୍ ଥାନା ପୋଲିସର ଉଦ୍ୟମ ଫଳରେ ବନ୍ଧକ ଥିବା ଘରର ୩ ଜଣ ସଦସ୍ୟଙ୍କୁ ଝର୍କା ଦେଇ ଉଦ୍ଧାର କରାଯାଇଥିବା ବେଳେ ଦୁର୍ବୃତ୍ତକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିଲା । ସବୁ ଆଲୋଚନା ବିଫଳ ହେବା ପରେ ପୋଲିସ ଉନ୍ମତ୍ତ ଯୁବକକୁ କାବୁ କରିବାରେ ସଫଳ ହେବା ସହ ତାକୁ ଗିରଫ୍ କରି ଅଧିକ ତଦନ୍ତ ପାଇଁ ଟାଉନ୍ ଥାନାକୁ ନେଇଛି ।ଘଟଣା ସଂପର୍କରେ ଜଣାପଡ଼ିବା ପରେ ଏହି ଘଟଣା ଏକ ଡକାୟତି ଘଟଣା ବୋଲି ମନେ ହେଉଥିଲା । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳକୁ ପହଂଚି ଘରକୁ ଘେରାବନ୍ଦି କରିଥିଲା । ପୋଲିସର ହଲ୍‌ଚଲ୍ ଦେଖି ଅଂଚଳରେ ସାରା ସହରବାସୀ ଉତ୍କଣ୍ଠାର ସହ ଜଗି ରହିଥିଲେ । ଘଟଣାରେ ୩ ଜଣ ବନ୍ଧକ ରହିଥିବା ବେଳେ ସାମ୍‌ନାରେ ଲୋକଙ୍କ ମେଳା ଲାଗିଥିଲା । ଉନ୍ମତ୍ତ ଯୁବକର ଚିହ୍ନା ପରିଚିତ ଧୀରେ ଧୀରେ ଘଟଣା ସ୍ଥଳରେ ପହଂଚିବା ପରେ ଘଟଣାଟି ଫର୍ଦ୍ଦ ପରେ ଫର୍ଦ୍ଦ ଖୋଲିବାକୁ ଆରମ୍ଭ ହୋଇଥିଲା । ପ୍ରଥମେ ଡକାୟତି କୁହାଯାଉଥିବା ଘଟଣାଟି ପ୍ରେମ, ପ୍ରତାରଣା ଆଡ଼କୁ ମୁହାଁଇଲା । ଜଣାପଡ଼ିଲା ଯେ, ଉନ୍ମତ୍ତ ଯୁବକ ଜଣକ ତାଲପାଲିପଡ଼ା ନିବାସୀ ବିକ୍ରମ ପଣ୍ଡା ପେଲେସ ଲାଇନ୍ ଠାରେ ଏକ ଇନ୍‌ଟର୍‌ନେଟ୍ ପାର୍‌ଲର୍ କରିଛନ୍ତି । ଦୁଇ ତିନି ବର୍ଷ ପୂର୍ବରୁ ବନ୍ଧକ ପରିବାରର ଜଣେ ସଂପର୍କୀୟ ଯୁବତୀଙ୍କ ସହିତ ବିକ୍ରମର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଉକ୍ତ ସଂପର୍କକୁ ନେଇ ପରିବାର ଲୋକେ ନାରାଜ୍ ଥିବା ବେଳେ ବିକ୍ରମକୁ ବାରମ୍ବାର ତାଗିଦ୍ କରିଥିଲେ । ପରିବାର ଲୋକଙ୍କ ଆକଟରେ ଧୀରେ ଧୀରେ ଯୁବତୀ ମଧ୍ୟ ବିକ୍ରମକୁ ପ୍ରତ୍ୟାଖ୍ୟାନ କରିଥିଲେ । ପୂର୍ବରୁ ସଂପୃକ୍ତ ଯୁବତୀଙ୍କ ବାହାଘର ପ୍ରସ୍ତାବ ମଧ୍ୟ ଏହି ଯୁବକଙ୍କ ପାଇଁ ଭାଂଗି ଯାଇଥିବା ବେଳେ କିଛି ଦିନ ତଳେ ଆଉ ଏକ ଭଲ ପ୍ରସ୍ତାବ ଆସିବା ପରେ ଯୁବତୀଙ୍କ ପିନ୍ଧାଣୀ କାର୍ଯ୍ୟକ୍ରମ ସମାପ୍ତ ହୋଇ ଯାଇଥିଲା । ଏହାକୁ କେନ୍ଦ୍ର କରି ବିକ୍ରମ ସଂପୃକ୍ତ ଯୁବତୀ ଓ ତାଙ୍କ ପରିବାରକୁ ଧମକ ଚମକ ଦେଇ ଆସୁଥିଲା । ଆଜି ସକାଳୁ ବିକ୍ରମ ଯୁବତୀଙ୍କ ସଂପର୍କୀ ଶାନ୍ତିପଡ଼ାର ହୋତା ପରିବାରଙ୍କ ଘରକୁ ପଶି ଯୁବତୀର ବାହାଘର କଲେ ସମସ୍ତଙ୍କୁ ଜୀବନରେ ମାରିଦେବି ବୋଲି ବଂଧୁକ ଦେଖାଇ ଧମକ ଦେବା ସହ ଯୁବତୀଙ୍କୁ ତୁରନ୍ତ ଡକାଇବାକୁ ଜିଦ୍ ଧରିଥିଲା । ଏଥିରେ ପରିବାର ଲୋକେ ଭୟଭୀତ ହୋଇ ଗୋଟିଏ କୋଠରୀ ଭିତରେ ପଶି ଭିତର ପଟୁ କବାଟ ଲକ୍ କରିବା ସହ ପୋଲିସକୁ ଖବର ଦେଇଥିଲେ । ତୁରନ୍ତ ପୋଲିସ ଘଟଣା ସ୍ଥଳକୁ ପହଂଚି ଯୁବକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା । ପ୍ରଥମେ ଯୁବକଙ୍କ ମା’, ପରେ ଭାଇ ଓ ସାଂଗ ମାନଙ୍କୁ ଘଟଣା ସ୍ଥଳକୁ ଆଣି ବିକ୍ରମକୁ ବୁଝାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ବିକ୍ରମ କାହାର କଥା ଶୁଣିବାକୁ ନାରାଜ୍ ଥିଲା । ପରେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍ ବାଗ ଓ ଆଇଆଇସି ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘର ପଛ ପଟ ଝରକାରୁ ବନ୍ଧକ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ଘଟଣା ସ୍ଥଳକୁ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଯୁବକକୁ ଅକ୍ଷତ କାବୁ କରିବା ପାଇଁ ପ୍ରୟାସ କରିଥିଲେ । ବହୁ କଷ୍ଟ ପରେ ଯୁବକଙ୍କୁ ଅକ୍ଷତ ଅବସ୍ଥାରେ କାବୁ କରିବାରେ ପୁଲିସକୁ ସଫଳତା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking