ଭୁବନେଶ୍ୱର : ଆନ୍ଧ୍ର ପ୍ରଦେଶ ଦ୍ୱାରା ପ୍ରସ୍ତାବିତ ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ୍ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି l ଏଥି ପାଇଁ ଓଡ଼ିଶାରୁ ୧୦୬ ଏକର ଜମି ଅଧିଗ୍ରହଣ ଓ ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗରେ ଓଡ଼ିଶାର ଜମି, ଜଳ ଅଧିକାର, କୃଷକ ଓ ପରିବେଶର ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।
ଟ୍ରିବ୍ୟୁନାଲଙ୍କ ଏହି ଆଦେଶକୁ ଓଡିଶାର ସ୍ଵାର୍ଥ ପାଇଁ ପରିପନ୍ଥୀ ଭାବେ ଓଡିଶାର ଲୋକେ ଅନୁଭବ କରୁଛନ୍ତି। ରାଜନୈତିକ ଭାବେ ଆନ୍ଧ୍ରପ୍ରଦେଶ ଏବଂ ଏହାର ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ଦରବାରରେ ଅଧିକ କାଟତି ଥିବାରୁ ଏହି ନିଷ୍ଫତ୍ତିକୁ ଏକ ପଖିଆ ଏବଂ ଓଡିଶା ବିରୋଧୀ ଭାବେ ସ୍ଥାନୀୟ ଜନସାଧାରଣ ମନେ କରୁଛନ୍ତି।
ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସ୍ଥାୟୀ କମିଟିଗତ ୫ ତାରିଖରେଏହି ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ଅନୁଷ୍ଠିତ ହୋଇଥିଲା। କମିଟିର ୧୨ତମ ବୈଠକ ପାଇଁ ନେରେଡି ବ୍ୟାରେଜ୍ର ଓଡ଼ିଶା ଅଂଶ ସମ୍ପର୍କିତ ତଥ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଦାଖଲ କରାଯାଇଥିଲା। ଏହି କମିଟିର ଆଲୋଚନାରେ ସ୍ଥାନୀୟ ପ୍ରଭାବିତ ଏବଂ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଉଦବେଗକୁ ନେଇ ସମ୍ପୃକ୍ତ ବିଭାଗଙ୍କ ଠାରୁ ଜବାବ ତଲବ କରାଯାଇଥିଲା।
ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ୩୦ ମାର୍ଚ୍ଚ ୨୦୨୬ର ଆଦେଶାନୁଯାୟୀ, ଆନ୍ଧ୍ରପ୍ରଦେଶକୁ ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଅନୁମତି ମିଳିଛି। ଆଦେଶର ଧାରା ୪ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ପାଇଁ ଡାହାଣ ପଟ ସ୍ଲୁଇସ କେନାଲ ଦେଇ ୮,୦୦୦ କ୍ୟୁସେକ୍ ଏବଂ ଓଡ଼ିଶା ପାଇଁ ବାମପଟ ସ୍ଲୁଇସ କେନାଲ ଦେଇ ଜଳ ଅଧିକାରର ବ୍ୟବସ୍ଥା ରହିଛି।
ସେହିପରି ଆଦେଶର ଅଷ୍ଟମ ଧାରାଅନୁଯାୟୀ, ଓଡ଼ିଶା ସରକାରଙ୍କୁ ନିଜ ଅଞ୍ଚଳରୁ ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର କରିବାକୁ ହେବ। ଏହି ଜମି ଗେଜେଟ୍ରେ ଆଦେଶ ପ୍ରକାଶ ପାଇବା ତାରିଖଠାରୁ ଏକ ବର୍ଷ ମଧ୍ୟରେ ହସ୍ତାନ୍ତର କରିବାକୁ ଆଦେଶରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ, ଦଶମ ଧାରାଅନୁଯାୟୀ, ଜମି ଅଧିଗ୍ରହଣ ବାବଦରେ ଓଡ଼ିଶା ସରକାରଙ୍କ ହେବାକୁଥିବା କ୍ଷତିପୂରଣ, ଚାର୍ଜ ଓ ଅନ୍ୟାନ୍ୟ ଖର୍ଚ୍ଚ ଆନ୍ଧ୍ରପ୍ରଦେଶ ସରକାର ବହନ କରିବ।
ଏହି ଆଦେଶ ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଲାଗି ରହିଛି। ତେବେ ୧୦୬ ଏକର ଜମି ହିଁ ପ୍ରକଳ୍ପର ସମ୍ପୂର୍ଣ୍ଣ ପ୍ରଭାବିତ ଅଞ୍ଚଳ କି ନୁହେଁ, ତାହା ସ୍ପଷ୍ଟ କରିବା ପାଇଁ ବିସ୍ତୃତ ସର୍ଭେ ଓ ପ୍ରଭାବ ଆକଳନର ଆବଶ୍ୟକତା ରହିଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଗଜପତି ଜିଲ୍ଲାର ସାରା, ବାଡ଼ିଗାମ ଓ ପାଲାସିଙ୍ଗି ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସ୍ଥାୟୀ କମିଟିର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଗଣ ଏହି ବିଷୟରେ ସରକାରଙ୍କ ଠାରୁ ଜବାବ ତଲବ କରିଥିଲେ।
ଏହା ସହିତ, ନେରେଡି ବ୍ୟାରେଜ୍ ପାଇଁ ଜମି ଅଧିଗ୍ରହଣ ସମ୍ପର୍କିତ କୌଣସି ଔପଚାରିକ ପ୍ରସ୍ତାବ ଏପର୍ଯ୍ୟନ୍ତ ଗଜପତି ଜିଲ୍ଲାପାଳଙ୍କଠାରୁ ପ୍ରାପ୍ତ ହୋଇନଥିବା ବିଭାଗୀୟ ତଥ୍ୟରେ ଦର୍ଶାଯାଇଛି। ଗତ ୮ ସେପ୍ଟେମ୍ବରରେ ଗଜପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପ୍ରକଳ୍ପର ପ୍ରଭାବ ସମ୍ପର୍କିତ ବିସ୍ତୃତ Impact Assessment ରିପୋର୍ଟ, ରାଜ୍ୟ ଓ ସ୍ଥାନୀୟ ଲୋକଙ୍କ ସମ୍ଭାବ୍ୟ ଲାଭ, ଜମି, ପରିବେଶ ଓ ସାମାଜିକ କ୍ଷତିର ଆକଳନ ଏବଂ ପାନୀୟ ଜଳ ବ୍ୟବସ୍ଥା ସମ୍ପର୍କରେ ସ୍ଥଳ ପରିଦର୍ଶନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ୧୦୬ ଏକର ଜମି ଚିହ୍ନଟ ପାଇଁ କାଶୀନଗର ତହସିଲ ଓ ଗଞ୍ଜାମ ଇନଭେଷ୍ଟିଗେସନ୍ ଡିଭିଜନର କର୍ମଚାରୀଙ୍କୁ ନେଇ ଯୁଗ୍ମ ଯାଞ୍ଚର ପଦକ୍ଷେପ ନିଆଯାଇଛି।
ନେରେଡି ବ୍ୟାରେଜ୍ ନିର୍ମାଣ ଫଳରେ ବଂଶଧାରା ଅବବାହିକାରେ ବ୍ୟାକ୍ୱାଟର, ଜଲବନ୍ଦିଓ ବନ୍ୟା ବିପଦ ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହା ବିଶେଷକରି ଓଡ଼ିଶାର ତଳମୁଣ୍ଡ ଅଞ୍ଚଳର କୃଷି, ଜମି ଓ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିପାରେ। ସମ୍ପ୍ରତି ଦକ୍ଷିଣ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଶଙ୍କାର ସଠିକ ମୂଲ୍ୟାୟନ କରିବାକୁ କମିଟି ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଛି।
ଏହି ପରିପ୍ରେକ୍ଷୀରେ ଜମି ଅଧିଗ୍ରହଣ ଓ ହସ୍ତାନ୍ତର ପୂର୍ବରୁ ପ୍ରକଳ୍ପର ସମ୍ପୂର୍ଣ୍ଣ ଡିଜାଇନ୍ ଓ ଯୋଜନା, ସମ୍ଭାବ୍ୟ ଜଳାବଦ୍ଧତା ଉପରେ ସ୍ୱତନ୍ତ୍ର ବୈଷୟିକ ଅଧ୍ୟୟନ, ପ୍ରଭାବିତ ଅଞ୍ଚଳର ମାନଚିତ୍ର, ପରିବେଶ ପ୍ରଭାବ ଆକଳନ ରିପୋର୍ଟ ଏବଂ ଓଡ଼ିଶାର ଲୋକଙ୍କ ଜଳ ଅଧିକାର ସୁରକ୍ଷା ପାଇଁ ଥିବା ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ସମ୍ପୃକ୍ତ ବିଭାଗକୁ ଦାଖଲ କରାଯିବା ପାଇଁ କମିଟି ନିର୍ଦ୍ଦେଶ ପ୍ରଦାନ କରିଛି।
ଏଥିସହିତ, ନେରେଡି ବ୍ୟାରେଜ୍ ପ୍ରସଙ୍ଗରେ ଓଡ଼ିଶା ପୂର୍ବରୁ ଆପତ୍ତି ଉଠାଇଥିବା ଏବଂ ସମ୍ପର୍କିତ Special Leave Petition (SLP) ବିଚାରାଧୀନ ଥିବା ପରିପ୍ରେକ୍ଷୀରେ, ଆଇନଗତ ସ୍ଥିତି ସ୍ପଷ୍ଟ ହେବା ପର୍ଯ୍ୟନ୍ତ ଜମି ହସ୍ତାନ୍ତର ପ୍ରକ୍ରିୟା ନେଇ ସାବଧାନତା ଅବଲମ୍ବନ କରିବା ନେଇ ମଧ୍ୟ ଦାବି ଉଠିଛି।
ସୂତ୍ର ଅନୁଯାୟୀ କମିଟି ଅଧ୍ୟକ୍ଷ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡିଶାର ସ୍ବାର୍ଥକୁ ସର୍ବୋପରି ଭାବେ ବିଚାରକୁ ନେଇ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ୧୦୬ ଏକର ଜମି ଅଧିଗ୍ରହଣ କେବଳ ଏକ ଜମି ସମ୍ପର୍କିତ ପ୍ରସଙ୍ଗ ନୁହେଁ; ଏହା ସହିତ ଓଡ଼ିଶାର ଜଳ ଅଧିକାର, କୃଷି, ପରିବେଶ ଓ ସ୍ଥାନୀୟ ଲୋକଙ୍କ ଭବିଷ୍ୟତ ସ୍ୱାର୍ଥ ଜଡ଼ିତ ଥିବାରୁ ସମସ୍ତ ପ୍ରଭାବର ବୈଜ୍ଞାନିକ ଓ ବିସ୍ତୃତ ଆକଳନ ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।










