ନୂଆଦିଲ୍ଲୀ: ଅଧିନାୟକ ପଦ ଛାଡିଲେ ହରମନପ୍ରୀତ୍ କୌର । ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନପ୍ରୀତ୍ କୌର ସମସ୍ତ ଫର୍ମାଟରୁ ନେତୃତ୍ୱ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ମଙ୍ଗଳବାର ଇନଷ୍ଟାଗ୍ରାମ୍ ପୋଷ୍ଟରେ ଏନେଇ ସୂଚନା ଦେଇଛନ୍ତି । ଏହାସହ ଭାବବିହ୍ୱଳ ପୋଷ୍ଟ୍ କରିଛନ୍ତି ।
ହରମନପ୍ରୀତ୍ କହିଛନ୍ତି ଯେ, ଏହା ତାଙ୍କ ପାଇଁ ସହଜ ନିଷ୍ପତ୍ତି ନଥିଲା । ଏହି ଯାତ୍ରା ବର୍ଷ ବର୍ଷ ଧରି ରହିଥିଲା । ଏଥିରେ ଅନେକ ସ୍ମରଣୀୟ ମୂହୁର୍ତ୍ତ ରହିଛି । ଏହି ସବୁ ମୂହୁର୍ତ୍ତ ତାଙ୍କ ସହ ସାରା ଜୀବନ ରହିବ ।ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆଜି ସେ ସମସ୍ତ ଫର୍ମାଟରୁ ଭାରତୀୟ ମହିଳା କ୍ରିକେଟ୍ ଟିମର ଅଧିନାୟକ ପଦ ଛାଡିଛନ୍ତି । ସେ ଦଳକୁ ଏବଂ ଦେଶ ପାଇଁ ବହୁତ କିଛି ଦେଇଛନ୍ତି । ନିଜର ସବୁକିଛି ପ୍ରଦାନ କରିଛନ୍ତି । ଏଥିରେ କେବଳ ପଡିଆରେ ବୁହାଇଥିବା ଝାଳ ନାହିଁ । ସମୟ ଏବଂ ନିଜର ଇଚ୍ଛା ବି ସାମିଲ ରହିଛି । ନିଜର ରକ୍ତ, ସମୟ ଏବଂ ପର୍ସନାଲ ଲାଇଫକୁ ତ୍ୟାଗ କରିବାକୁ ପଡିଛି ।
ଅଧିନାୟିକା ଭାବେ ସେ ଅନେକ ସମୟରେ ନିଜର ବ୍ୟକ୍ତିଗତ ଇଚ୍ଛାଠୁ ଦଳକୁ ଅଧିକ ଫୋକସ କରିଛନ୍ତି । ଅନେକ ପରିସ୍ଥିତି ଆସିଛି ଯେତେବେଳେ ଯେତେବେଳେ ବ୍ୟକ୍ତିଗତ ଆଶା ଅପେକ୍ଷା ଦଳକୁ ପ୍ରାଥମିକତା ଦେବାକୁ ପଡିଛି । ତେବେ ହରମନପ୍ରୀତଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ମହିଳା ଦଳରେ ଏକ ଯୁଗର ଅନ୍ତ ଘଟିଛି । ଏବେ ନୂଆ ଅଧିନାୟକ କିଏ ହେବ ତାହା ଉପରେ ନଜର ରହିବ ।ତେବେ ନେତୃତ୍ୱ ଛାଡିଥିଲେ ବି ସେ କ୍ରିକେଟ୍ ଖେଳିବା ଜାରି ରଖିବେ । ସେ ଦଳରେ ଖେଳାଳି ଭାବେ ଯୋଗଦାନ ଦେବେ । ଏବେ ସେ କେବଳ ଖେଳ ଉପରେ ଫୋକସ କରିବେ ବୋଲି କହିଛନ୍ତି ।










