ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧରେ ରୁଷ୍ ସେନା ଭିତରେ ରହି ଅନେକ ଭାରତୀୟ ଯୋଦ୍ଧା ଲଢ଼ୁଛନ୍ତି। ନୂଆଦିଲ୍ଲୀର ହସ୍ତକ୍ଷେପ ପରେ ରୁଷ୍ ସେନାରେ ନିଯୁକ୍ତି ପାଇଥିବା ପାଖାପାଖି ୧୪୦ ଜଣ ଭାରତୀୟଙ୍କୁ ଚାକିରି ଛାଡ଼ିବାକୁ ଅନୁମତି ଦିଆଯାଇଛି। ଭାରତ-ରୁଷ୍ ପରାମର୍ଶଦାତା କମିଟି ବୈଠକର ବିବରଣୀ ଅନୁସାରେ, ରୁଷ୍ ସଶସ୍ତ୍ର ବାହିନୀରେ କାର୍ଯ୍ୟରତ ଅନ୍ୟ ୫୫ ଜଣଙ୍କ ସୂଚନା ଭାରତ ମାଗିଛି। ଏପରି ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ନୂଆଦିଲ୍ଲୀ ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଛି।ଗତ ମାସରେ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସଦ୍ୟତମ ସଂଖ୍ୟା ସହିତ ଏହା ସମାନ ଅଛି। ମିଶ୍ରି କହିଥିଲେ ଯେ, ରୁଷ୍ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଥିବା ୨୨୭ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ୧୩୯ ଜଣଙ୍କୁ ଡିସଚାର୍ଜ କରାଯାଇଛି ଓ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଭାରତ ଏବେବି ରୁଷ୍ ସେନାରେ କାର୍ଯ୍ୟରତ ଲୋକଙ୍କୁ ଶୀଘ୍ର ଡିସଚାର୍ଜ ଓ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ସୁରକ୍ଷିତ କରିବା ପାଇଁ ମସ୍କୋ ସହିତ ନିରନ୍ତର ଆଲୋଚନା ଜାରି ରଖିଛି ବୋଲି ମିଶ୍ରି କହିଥିଲେ।










