ଭୁବନେଶ୍ୱର: ପୂର୍ତ୍ତ ବିଭାଗ ଅଧୀନରେ ଚାରବାଟିଆ ଓ ବାଲେଶ୍ୱର ଡିଭିଜନ୍ରେ ଚାଲୁଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ନେଇ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାରବାଟିଆ ଓ ବାଲେଶ୍ୱର ଡିଭିଜନ୍ ଅଧୀନରେ ଚାଲୁଥିବା ସଡ଼କ, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ବର୍ତ୍ତମାନର ସ୍ଥିତି, ବିଭିନ୍ନ ସମସ୍ୟା ଏବଂ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ଯାଜପୁରର ପ୍ରସିଦ୍ଧ ମହାବିନାୟକ ମନ୍ଦିରର ପାରିପାର୍ଶ୍ୱିକ ବିକାଶ, ସୌନ୍ଦର୍ଯ୍ୟକରଣ ଓ ଆବଶ୍ୟକ ଭିତ୍ତିଭୂମି ସୁବିଧାର ଉନ୍ନତି ନେଇ ଆଲୋଚନା ହୋଇଥିଲା। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇବା ସହ ମନ୍ଦିର ପରିସରର ସାମଗ୍ରିକ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ପ୍ରସିଦ୍ଧ ଛତିଆବଟ ମନ୍ଦିରର ବିକାଶମୂଳକ କାର୍ଯ୍ୟ, ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ପ୍ରଶସ୍ତିକରଣ, ଉନ୍ନତ ଯାତାୟାତ ବ୍ୟବସ୍ଥା ଏବଂ ଆବଶ୍ୟକ ଭିତ୍ତିଭୂମିର ବିକାଶ ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମୀକ୍ଷା କରିଥିଲେ ।
ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଏହି ଧାର୍ମିକ ପୀଠର ପାରିପାର୍ଶ୍ୱିକ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ଉପରେ ଆଲୋଚନା ହୋଇଥିଲା। ସେହିପରି ବୈଠକରେ ବାଲେଶ୍ୱର ଡିଭିଜନ୍ ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା I ଏଥିରେ ବାଲେଶ୍ୱର ରିଙ୍ଗ ରୋଡ଼, ଫକୀର ମୋହନ ଗୋଲେଇରୁ ଷ୍ଟେସନ ଛକ ରାସ୍ତାର ଉନ୍ନତିକରଣ, ଜୁଡ଼ିସିଆଲ ହବ ନିର୍ମାଣ ସହ ବିଭିନ୍ନ ସଡ଼କ, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପକୁ ତ୍ୱରିତ ଗତିରେ ଆଗେଇ ନେବା ନେଇ ଆଲୋଚନା ହୋଇଥିଲା I ଆଜିର ସମୀକ୍ଷା ବୈଠକ ସମୟରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ସର୍ବୋଚ୍ଚ ଯନ୍ତ୍ରୀ(ସିଭିଲ) ଇଂ ସତ୍ୟବ୍ରତ ବେହେରା, ମୁଖ୍ୟ ଯନ୍ତ୍ରୀ ଇଂ ଶିବବ୍ରତ ତରିଆ, ମୁଖ୍ୟ ଯନ୍ତ୍ରୀ( ବ୍ରିଜ) ଇଂ ପ୍ରଭାସ କୁମାର ମାଝୀଙ୍କ ସମେତ ଉଭୟ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I










