ଭାରତୀୟ କ୍ରିକେଟ୍ରେ ପୁଣି ଏକ ଐତିହାସିକ ଦିନ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ବିସ୍ଫୋରକ ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଛନ୍ତି। ଗୁଆହାଟୀର ବର୍ଷାପାରା ଷ୍ଟାଡିୟମରେ ଗିଲ୍ ମାତ୍ର ୧୧୭ ବଲ୍ରେ ୨୦୦ ରନ୍ ପୂରଣ କରି ନିଜ ନାମରେ ଆଉ ଏକ ବଡ଼ ରେକର୍ଡ ଯୋଡ଼ିଛନ୍ତି। ଏହା ଗିଲ୍ଙ୍କ ଦିନିକିଆ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ। ଏହା ସହିତ ସେ ଭାରତ ପାଇଁ ଏକାଧିକ ଥର ଦିନିକିଆରେ ୨୦୦ରୁ ଅଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ ରୋହିତ ଶର୍ମାଙ୍କ ପରେ ସାମିଲ ହୋଇଛନ୍ତି। ରୋହିତ ଦିନିକିଆରେ ତିନିଥର ଦ୍ୱିଶତକ ହାସଲ କରିଥିବାରୁ ଏହି ରେକର୍ଡରେ ଏବେ ବି ଶୀର୍ଷରେ ଅଛନ୍ତି।
ଗୁଆହାଟୀରେ ଗିଲ୍ଙ୍କ ବ୍ୟାଟ୍ରୁ ରନ୍ର ବର୍ଷା ହୋଇଥିଲା। ସେ ମାତ୍ର ୬୨ଟି ବଲ୍ରେ ଶତକ ପୂରଣ କରିଥିଲେ। ଏହାପରେ ପରବର୍ତ୍ତୀ ୧୦୦ ରନ୍ ପାଇଁ ତାଙ୍କୁ ମାତ୍ର ୫୫ଟି ବଲ୍ ଲାଗିଥିଲା। ଅର୍ଥାତ୍ ଶତକ ପରେ ଗିଲ୍ଙ୍କ ବ୍ୟାଟିଂ ଆହୁରି ଆକ୍ରମଣାତ୍ମକ ହୋଇଥିଲା।ଏହି ମ୍ୟାଚ୍ରେ ଗିଲ୍ ଓ ରୋହିତ ଶର୍ମାଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୨୫୫ ରନ୍ର ବଡ଼ ଭାଗିଦାରୀ ହୋଇଥିଲା। ଘରୋଇ ମାଟିରେ ଗିଲ୍ଙ୍କ ଏହା କ୍ରମାଗତ ତୃତୀୟ ଶତକ ମଧ୍ୟ ହୋଇଛି। ଦିନିକିଆ କ୍ରିକେଟ୍ରେ ପ୍ରଥମ ଦ୍ୱିଶତକର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୨୦୦ ରନ୍ କରିଥିଲେ। ପରେ ବୀରେନ୍ଦ୍ର ସେହୱାଗ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୧୯ ରନ୍ କରିଥିଲେ। ରୋହିତ ଶର୍ମା ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ରନ୍ କରି ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନ୍ର ଐତିହାସିକ ଇନିଂସ ଖେଳି ସେ ଦିନିକିଆର ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ନିଜ ନାମରେ କରିଥିଲେ। ଗିଲ୍ ଏହା ପୂର୍ବରୁ ୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୮ ରନ୍ କରି ନିଜର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ।










