28.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା ଉଜାଡ଼ିଦେଲା ଜୀବିକା : ଚିନ୍ତାରେ ଲେମ୍ବୁ ଚାଷୀ

କରୋନା ଉଜାଡ଼ିଦେଲା ଜୀବିକା : ଚିନ୍ତାରେ ଲେମ୍ବୁ ଚାଷୀ

ଅନୁଗୁଳ : କରୋନା ଯୋଗଁ ଏବେ ଦୁର୍ଦ୍ଦିନରେ ଅନୁଗୁଳ ଜିଲ୍ଲାର ଲେମ୍ବୁ ଚାଷୀ । ବାହାର ବେପାରୀ ଆସୁ ନଥିବାରୁ ବିକ୍ରି ହୋଇନପାରି ପଡ଼ି ରହିଛି ଲକ୍ଷାଧିକ ଟଙ୍କାର ଲେମ୍ବୁ । ପ୍ରତି ବର୍ଷ ୮ରୁ ୧୦ ଲକ୍ଷ ଟଙ୍କାର ଲେମ୍ବୁ ବିକ୍ରି କରୁଥିବା ଚାଷୀ ଏ ବର୍ଷ ମାତ୍ର ୫୦ ହଜାର ଟଙ୍କାର ଲେମ୍ବୁ ବିକ୍ରି କରି ପାରିଛି । ଫଳରେ ଶ୍ରମିକ ଖର୍ଚ୍ଚ ଓ ସାର ଔଷଧ ଖର୍ଚ୍ଚ ମଧ୍ୟ ଉଠୁନି । ଲେମ୍ବୁ ବିକ୍ରି ପାଇଁ ସରକାରୀ ସ୍ତରରେ ମଧ୍ୟ ସେମିତି କିଛି ସୁବିଧା ନଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

ଅନୁଗୁଳ ବ୍ଲକ ଅନ୍ତର୍ଗତ କରତପଟା, ଡିମିରିପାଳ ଓ ହିଡିସିଙ୍ଗି ଅଞ୍ଚଳର ପ୍ରାୟ ୧୦୦ ଏକରରୁ ଅଧିଳ ଜମିରେ ଲେମ୍ବୁ ଚାଷ କରି ଆସୁଛନ୍ତି ୫୦ ରୁ ଅଧିକ ଚାଷୀ । ପ୍ରତି ବର୍ଷ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଲେମ୍ବୁ ବିକ୍ରି ପାଇଁ ଯାଇଥାଏ । କିନ୍ତୁ ଚଳିତ ବର୍ଷ ଭଲ ଲେମ୍ବୁ ଫସଲ ହୋଇଥିଲେ ମଧ୍ୟ ବିକ୍ରି ନାହିଁ । ପ୍ରତି ବର୍ଷ ୨ ଥର ଲେମ୍ବୁ ଅମଳ ହୁଏ । ଶୀତ ଦିନ ଅପେକ୍ଷାକୃତ କମ ଲେମ୍ବୁ ଅମଳ ହୁଏ। କିନ୍ତୁ ବର୍ଷା ଦିନେ ଅଧିକ ପରିମାଣରେ ଲେମ୍ବୁ ଅମଳ ହୁଏ । ମେ’ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ଯେଉଁ ଲେମ୍ବୁ ଅମଳ ହୁଏ ସେଥିରୁ ଚାଷୀମାନେ ଭଲ ଦି ପଇସା ପାଆନ୍ତି । ହେଲେ ଠିକ୍ ସମୟରେ ଲକଡାଉନ୍ ଯୋଗୁଁ ଲେମ୍ବୁ ବିକ୍ରି ହୋଇ ପାରିଲା ନାହିଁ । ବିଶେଷ କରି ଭଦ୍ରକ, ବାଲେଶ୍ୱର, ଚଣ୍ଡିଖୋଲ, ପାରାଦୀପ, ଭୁବନେଶ୍ୱର, କଟକ ସମେତ ରାଜ୍ୟର ବହୁ ସ୍ଥାନରୁ ବେପାରୀ ଆସି ଲେମ୍ବୁ କିଣି ନେଇଥାନ୍ତି । କିନ୍ତୁ ଲକଡାଉନ୍ ଯୋଗୁଁ ଆଉ ବେପାରୀ ଆସିଲେ ନାହିଁ । ସେମାନଙ୍କ ପାଖକୁ ଲେମ୍ବୁ ପଠାଇଲେ ମଧ୍ୟ ଫେରାଇ ଦେଉଛନ୍ତି । ସେତେବେଳେ ଲେମ୍ବୁ ବସ୍ତା ପ୍ରତି ୧୫ ଶହରୁ ୨ ହଜାର ଟଙ୍କାରେ ବେପାରୀ ନେଉଥିଲେ ।

ଏ ବର୍ଷ ବସ୍ତା ପ୍ରତି ୨ ଶହରୁ ୩ ଶହ ଟଙ୍କାରେ ମଧ୍ୟ କେହି ନେଉନାହାନ୍ତି । ତେଣୁ ଲେମ୍ବୁ ବିକ୍ରି ହୋଇ ନପାରି ପଡ଼ି ରହିଛି । ଗଛରୁ ଲେମ୍ବୁ ନ ତୋଳିଲେ ଆସନ୍ତା ବର୍ଷକୁ ଆଉ ଫଳ ହେବ ନାହିଁ ବୋଲି ଚାଷୀ ବାଧ୍ୟ ହୋଇ ଶ୍ରମିକ ଲଗାଇ ତୋଳୁଛନ୍ତି । ଗତ ୧୯୮୦ ମସିହାରୁ ପ୍ରାୟ ୧୦ ଏକର ଜମିରେ ଲେମ୍ବୁ ଚାଷ କରି ବର୍ଷକୁ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ଚାଷୀ କୁମୁଦ ପ୍ରଧାନ ଚଳିତ ବର୍ଷ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଲେମ୍ବୁ ଗଛରେ ଫଳ ଦେଖିଲେ ତାଙ୍କ ଆଖିରେ ଲୁହ ଆସିଯାଉଛି । ଏତେ ପରିମାଣର ଲେମ୍ବୁ ବିକ୍ରି ହେବ କେମିତି । ଶ୍ରମିକ ମାନଙ୍କ ମଜୁରୀ କେମିତି ଦିଆଯିବ । ଏମିତି ଅନେକ ଚିନ୍ତାରେ ଚାଷୀ ବସିଛନ୍ତି । ଲେମ୍ବୁ ବିକ୍ରି ନହେବାରୁ ଚାଷୀମାନେ ଆଉ ଅଧିକ ଶ୍ରମିକଙ୍କୁ ନିୟୋଜିତ କରୁ ନାହାନ୍ତି । ତେଣୁ ଶ୍ରମିକ କାମ ହରାଉଛନ୍ତି । ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ଉଦ୍ୟାନ ବିଭାଗ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ପଦ୍ମଲୋଚନ ଦାସ । କିଭଳି ଚାଷୀଙ୍କ ଉତ୍ପାଦିତ ଜିନିଷ ବଜାର ପର୍ଯ୍ୟନ୍ତ ଯାଇ ପାରିବ ସେଥିପାଇଁ ସରକାରୀ ସ୍ତରରେ ସୁବିଧା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking