29.1 C
Bhubaneswar
Sunday, May 5, 2024
Homeଓଡିଶାପୁଣି ଏକ ଦାଦନ ଦୁଃଖ : ୯ ଦିନ ହେଲା ତାମିଲନାଡୁରେ ନିଖୋଜ ଶ୍ରମିକ, ଚିନ୍ତାରେ...

ପୁଣି ଏକ ଦାଦନ ଦୁଃଖ : ୯ ଦିନ ହେଲା ତାମିଲନାଡୁରେ ନିଖୋଜ ଶ୍ରମିକ, ଚିନ୍ତାରେ ପରିବାର

ଜଗନ୍ନାଥପ୍ରସାଦ: ସରୁନି ଦାଦନ ଦୁଃଖ । ରାଜ୍ୟରେ କାମ ନପାଇ ପେଟପାଟଣା ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ଯୁବକ । ଅନ୍ୟପକ୍ଷରେ କେତେକ ସେଠାରୁ ଶବ ହୋଇ ଫେରୁଛନ୍ତି ତ ଆଉ କେତେବେଳେ ଦୁର୍ଘଟଣା ଘଟି ଅକର୍ମଣ୍ୟ ହୋଇ ଫେରୁଛନ୍ତି । ସେଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଥାନା ଅନ୍ତର୍ଗତ କୁଡୁତାଇ ପଞ୍ଚାୟତ କରଡାବଣି ଗ୍ରାମରୁ । ଏହି ଗ୍ରାମର ୩୮ ବର୍ଷୀୟ ମାଗି ନାଇକ କାମ କରି ରୋଜଗାର କରିବା ପାଇଁ ଗତ ୨ ତାରିଖ ଦିନ ଗାଁର କିଛି ଲୋକଙ୍କ ସହିତ ତାମିଲନାଡୁ ଯାଇଥିଲେ । ସେଠାରେ ସପ୍ତାହେ କାମ କରିବା ପରେ ଅର୍ଥାତ ଗତ ରବିବାର କିଛି ଜିନିଷ ଆଣିବାକୁ ବଜାରକୁ ଯାଇଥିବା ବେଳେ ଆଉ ଫେରିନଥିଲେ । ସେମାନଙ୍କ ସହିତ ଥିବା ଗାଁର ଲୋକମାନେ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇ ତାଙ୍କ ଘରକୁ ଜଣାଇଥିଲେ ।

ଏହା ଶୁଣିବା ପରେ ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ତାଙ୍କ ଗୋଟିଏ ପୁଅ ଓ ଝିଅ ରହିଥିବା ବେଳେ ପୁଅ ଅଜୟ ନାଇକ ମଧ୍ୟ କାମ କରିବାକୁ କେରଳ ଚାଲିଯାଇଛି । ବାପାର ହଜିଯିବା ଖବର ପାଇ ତା ସାଙ୍ଗ ସାଥୀ ସହିତ ତାମିଲନାଡୁର ଅଭିନାଶ ପାଲମ ଅଞ୍ଚଳରେ ତିନି ଦିନ ଖୋଜାଖୋଜି କରି ନିରାଶ ହୋଇ ଫେରିଛନ୍ତି । ଏପଟେ ଘରେ ପତ୍ନୀ ବବିତା ନାଇକ ସ୍ୱାମୀଙ୍କ ହଜିଯିବା ଖବର ପାଇ ଖିଆପିଆ ନ କରି ଆଖିରୁ ଲୁହ ଗଡାଇ ବସିଛନ୍ତି । ଘଟଣାକୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ମାଗିଙ୍କ ଖବର ମିଳୁନଥିବାରୁ ଗ୍ରାମବାସୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଅସହାୟ ମାଗିଙ୍କୁ ଖୋଜିବା ବ୍ୟବସ୍ଥା କରିବାକୁ ତାଙ୍କ ପତ୍ନୀଙ୍କ ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking