ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି ପର୍ଫମାନ୍ସ ଟ୍ରାକିଂ ସେଲ । ଯେଉଁଥିରେ ସରକାରୀ ସ୍କୁଲରେ ପାଠପଢ଼ୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଉଚ୍ଚପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଆଗକୁ ନେବା ସହ କ୍ରୀଡ଼ା, ନୃତ୍ୟ, ସଂଗୀତ ଏବଂ ପ୍ରତିଟି ପିଲାଙ୍କ ମଧ୍ୟରେ ଥିବା ଦକ୍ଷତା ବୃଦ୍ଧି ଲାଗି ଆରମ୍ଭ ହେବ ଅଭିନବ ପ୍ରୟାସ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଏବଂ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଗୁରୁତ୍ୱ ଦେବା ସହ ସରକାରୀସ୍ତରରେ ପିଲାଙ୍କୁ ସମସ୍ତ ସାହାର୍ଯ୍ୟ ଯୋଗାଇ ଦିଆଯିବ । ସ୍କୁଲ ଏବଂ ଗଣ ଶିକ୍ଷାବିଭାଗ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି ।
ରାଜ୍ୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୧ହଜାର ୯୯୧ଟି ସ୍କୁଲ ରହିଛି । ଏଥିରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୨ଲକ୍ଷ ୧ହଜାର ୬୨୧ଜଣ ଛାତ୍ରଛାତ୍ରୀ ଥିବା ବେଳେ ନବମ ଏବଂ ଦଶମରେ ୮ଲକ୍ଷ ୨୧ହଜାର ୨୨୨ଜଣ ପିଲା ପଢ଼ୁଛନ୍ତି । ଏମାନଙ୍କ ମଧ୍ୟରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୫ପ୍ରତିଶତ ପିଲା ଶିକ୍ଷାରେ ଦୁର୍ବଳ ଥିବାବେଳେ କ୍ରୀଡାରେ ଆଗୁଆ ରହିଥାନ୍ତି । ସେହିପରି ୨୫% ପିଲା ନୃତ୍ୟରେ ଏବଂ ୧୭% ପିଲା ସଂଗୀତରେ ଆଗୁଆ ରହିଥାନ୍ତି । ସେହିପରି ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ୪୪ପ୍ରତିଶତ ପିଲା କ୍ରୀଡାରେ ଆଗୁଆ ରହିଥାନ୍ତି । ସେହିପରି ୩୮ % ପିଲା ନୃତ୍ୟରେ ଏବଂ ୫୦% ପିଲା ସଂଗୀତରେ ଆଗୁଆ ରହିଥାନ୍ତି । କ୍ରୀଡା, ନୃତ୍ୟରେ ଏବଂ ସଂଗୀତରେ ମୋଟ୍ ଉପରେ ୪୪ପ୍ରତିଶତ ପ୍ରତିଭାବାନ ଛାତ୍ରଛାତ୍ରୀ ଆର୍ôଥକ ଅଭାବ ଲାଗି ଲୋକ ଲୋଚନକୁ ଆସିପାରିନଥାନ୍ତି । ସେମାନଙ୍କର ଦକ୍ଷତାରେ କୌଣସି ବିକାଶ ଘଟିନଥିବା ବେଳେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଥାଏ । ଏପରି ସମସ୍ୟାର ସମାଧାନ ଲାଗି ଏଣିକି ପର୍ଫରମାନ୍ସ ଟ୍ରାକିଂ ସେଲ୍ କାର୍ଯ୍ୟ କରିବ । ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ଉଭୟ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥଽା ବେଳେ ଗତବର୍ଷ ଠାରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଭିତ୍ତିଭୂମିର ବିକାଶ ଲାଗି ଜିଲ୍ଲାୱାରୀ ଶିକ୍ଷା ଅଧିକାରୀମାନେ ତଦାରଖ କରୁଥିବା ବେଳେ ଯେଉଁ ପିଲାଙ୍କ ମଧ୍ୟରେ ସ୍ୱତନ୍ତ୍ର ପ୍ରତିଭା ଏବଂ ଦକ୍ଷତା ରହୁଥିଲା ତାହା ଜଣାପଡ଼ୁନଥିଲା । ତେଣୁ ବିଭିନ୍ନ ପର୍ଫରମାନ୍ସରେ ଆଗୁଆ ଥିବା ପିଲାଙ୍କୁ ସରକାର ଏଣିକି ସ୍ୱତନ୍ତ୍ର ଯତ୍ନ ନେବେ । ଯେଉଁ ଥିରେ ପିଲାମାନେ ଆଗୁଆ ଥିବେ ସେଥିରେ ଯେପରି ସମ୍ପୃକ୍ତ ପିଲାମାନେ ଅଧିକ ପ୍ରଶିକ୍ଷଣ ପାଇପାରିବେ ସେ ଦିଗରେ ସହାୟତା ଯୋଗାଇ ଦିଆଯିବ । ବିଶେଷକରି ପିଲାଙ୍କ ମଧ୍ୟରେ ଥିବା ନେତୃତ୍ୱ ନେବାର କ୍ଷମତା, ପାରମ୍ପରିକ ନୃତ୍ୟ, ସଂଗୀତରେ ଦକ୍ଷତାକୁ ଏହି ସେଲ୍ ଚୟନ କରିବ ।