29.1 C
Bhubaneswar
Tuesday, May 7, 2024
Homeବିଜିନେସ୍ଦେଶରେ ବିମାନ ଭଡ଼ା ୪୧% ବଢ଼ିଛି

ଦେଶରେ ବିମାନ ଭଡ଼ା ୪୧% ବଢ଼ିଛି

ନୂଆଦିଲ୍ଲୀ: କୋଭିଡ୍ ପରଠାରୁ ଏପର୍ଯ୍ୟନ୍ତ ଭାରତରେ ବିମାନ ଭଡା ୪୧ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । ଏୟାରପୋର୍ଟସ କାଉନସିଲ ଇଣ୍ଟରନ୍ୟାସନାଲ ସଂସ୍ଥାର ସୂଚନା ମୁତାବକ ଏସିଆ-ପ୍ୟାସିଫିକ୍ ଏବଂ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଙ୍କ ତୁଳନାରେ ଭାରତରେ ବିମାନ ଭଡା ସବୁଠୁ ଅଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ଲୋକେ ବିମାନଯାତ୍ରାକୁ ଅଧିକ ପସନ୍ଦ କରୁଛନ୍ତି । ସମୟ ବଞ୍ଚାଇବା ସହ ଏହା ଏକ ଆରାମଦାୟକ ଯାତ୍ରା ସୁବିଧା ପ୍ରଦାନ କରୁଛି । ବିମାନଯାତ୍ରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଘରୋଇ ଏୟାରଲାଇନ୍ସଗୁଡିକ ମଧ୍ୟ ଏହାର ଫାଇଦା ଉଠାଇବାକୁ ତତ୍ପର ହୋଇପଡିଛନ୍ତି ।

ଅଧିକ ରୁଟ୍‌ରେ ବିମାନ ଚଳାଚଳ କରିବା ସହ ନିୟମିତ ରୁଟ୍‌ରେ ଅଧିକ ସଂଖ୍ୟକ ବିମାନ ଚଳାଇବାକୁ ଘରୋଇ ଏୟାରଲାଇନ୍ସ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି । ତେବେ ଯେଉଁ ହାରରେ ବିମାନ ଭଡା ବୃଦ୍ଧି ପାଉଛି, ତାହା ଆଗାମୀ ଦିନରେ ଦେଶର ଆଭିଏସନ ସେକ୍ଟର ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିଛନ୍ତି । ଭାରତ ପଛକୁ ବିମାନଭଡା ବୃଦ୍ଧି ପ୍ରସଙ୍ଗରେ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍‌ସ), ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ୟୁଏଇରେ ବିମାନଭଡା ୩୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସିଙ୍ଗାପୁରରେ ଏହା ୩୦ ପ୍ରତିଶତ ଏବଂ ଅଷ୍ଟ୍ରେଲିଆରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି । ଭାରତରେ ବିମାନଭଡା ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ବିମାନଭଡା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତମାସରେ ଏୟାରଲାଇନ୍ସ ଆଡଭାଇଜରି ଗ୍ରୁପ୍ ସହ ଆଲୋଚନା ମଧ୍ୟ କରିଛନ୍ତି । ଯାତ୍ରୀଙ୍କ କ୍ଷମତା ଅନୁଯାୟୀ ବିମାନଭଡାକୁ ସୀମିତ ରଖିବାକୁ ଘରୋଇ ଏୟାରଲାଇନ୍ସଗୁଡିକୁ ପରୋକ୍ଷରେ ଚେତାବନୀ ମଧ୍ୟ ଦିଆଯାଇଛି । ୧୯୯୪ରେ ଏୟାର କର୍ପୋରେସନ ଆକ୍ଟ ଉଚ୍ଛେଦ ହେବାପରଠାରୁ ଭାରତରେ ବିମାନଭଡା ଧାର୍ଯ୍ୟ ପ୍ରସଙ୍ଗ ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ଏୟାରକ୍ରାଫ୍ଟ ନିୟମ ୧୯୩୭ର ଧାରା ୧୩୭ ଅନୁଯାୟୀ ଏୟାରଲାଇନ୍ସଗୁଡିକ ନିଜସ୍ୱ ବିମାନଭଡା ଧାର୍ଯ୍ୟ କରୁଛନ୍ତି । ସରକାରୀ ସଂସ୍ଥା ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) କେବଳ ବିମାନଯାତ୍ରାର ସୁରକ୍ଷା ପ୍ରତି ଧ୍ୟାନ ଦେଉଥିବାବେଳେ ଭଡା ଧାର୍ଯ୍ୟ କରିନଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking