34.1 C
Bhubaneswar
Saturday, April 27, 2024
Homeଓଡିଶାଦ୍ୱିତୀୟଶ୍ରେଣୀ ଛାତ୍ରକୁ ଶିକ୍ଷକଙ୍କ ମାଡ଼

ଦ୍ୱିତୀୟଶ୍ରେଣୀ ଛାତ୍ରକୁ ଶିକ୍ଷକଙ୍କ ମାଡ଼

ସାନଖେମୁଣ୍ଡି : ପ୍ରାଥମିକ ସ୍ତରରୁ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଶିକ୍ଷା ଅଧିକାର ଆଇନ, ସର୍ବଶିକ୍ଷା ସମଗ୍ର ଶିକ୍ଷା ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି । ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇବା ଲାଗି ସରକାର ଓ ଶିକ୍ଷାବିଭାଗ ପକ୍ଷରୁ ବିଦ୍ୟାଳୟ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯିବା ସହ ଛାତ୍ରଛାତ୍ରୀଙ୍କୁ ବିନା ଦଣ୍ଡରେ ଶିକ୍ଷାଦାନ ପାଇଁ କଠୋର ନିୟମ ଲାଗୁ ହୋଇଛି । କିନ୍ତୁ ସରକାରଙ୍କ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରି ଜଣେ କୋମଳମତି ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ଶିକ୍ଷକ ନିର୍ଘାତ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାନଖେମୁଣ୍ଡି ବ୍ଲକ୍ ଚୁଡ଼ଙ୍ଗପୁର ସ୍ଥିତ ସାନଖେମୁଣ୍ଡି ଉଚ୍ଚ ବିଦ୍ୟାଳୟରେ ଘଟିଛି । ଏହି ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବ ଯୋଗୁଁ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଗୋଟିଏ କୋଠରୀରେ ଶିକ୍ଷାଦାନ କରାଯାଉଛି ।

ଗତ ସୋମବାର ଦିନ ଗୋଟାଏ ବେଳେ ପାଠପଢ଼ା ସରିବା ପରେ ଶିକ୍ଷକ ଜୁରିନାଥ ବେବର୍ତ୍ତା କ୍ରମାନ୍ୱୟରେ ଆଗେ ପ୍ରଥମଶ୍ରେଣୀ ପରେ ଦ୍ୱିତୀୟଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଶ୍ରେଣୀ କୋଠାରୁ ବାହାରକୁ ଯିବାକୁ କହିଥିଲେ । ତେବେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ପଣ୍ଡା ପ୍ରଥମେ ବାହାରି ଯାଇଥିଲେ । ଶିକ୍ଷକଙ୍କ ତାଗିଦ୍ ପରେ ପୁଣି ଶ୍ରେଣୀ ଗୃହକୁ ଆସିଥିଲେ । ଶୁଭ୍ରାଂଶୁ ପ୍ରଥମେ ବାହାରି ଯିବା ଘଟଣାରେ ଉତ୍‌କ୍ଷିପ୍ତ ହୋଇ ଶିକ୍ଷକ ଛାତ୍ରକୁ ଗୋଟିଏ ପ୍ଲାଇଖଣ୍ଡରେ ପିଟିଥିଲେ ।

ଛାତ୍ରର ପିଠିରେ ନୋଳା ଫାଟିଯିବା ସହ ଆଘାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି ବୋଲି ଛାତ୍ର ଜଣକ କହିଛନ୍ତି । ଆଜି ଏହି ଘଟଣା ନେଇ ଛାତ୍ରଙ୍କ ପିତା ସନ୍ତୋଷ କୁମାର ପଣ୍ଡା ଗଣମାଧ୍ୟମକୁ କହିବା ସହ ପ୍ରଧାନଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବ୍ଲକ୍ ଶିକ୍ଷାଧିକାରୀ କୁରେଶୁ ସେଠୀଙ୍କୁ ଏନେଇ ଯୋଗାଯୋଗ କରିବା ବେଳେ ସେ ପରୀକ୍ଷା ଡ୍ୟୁଟିରେ ଅଛନ୍ତି । ଏବିଇଓଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା କହିଛନ୍ତି । ଏବିଇଓ ସିମାଞ୍ଚଳ ରଥଙ୍କୁ ପଚାରିବାରେ ପିଲାକୁ ଶିକ୍ଷକଙ୍କ ମାଡ଼ ହୋଇଥିବା କଥା ସତ ବୋଲି ସ୍ୱୀକାର କରିବା ସହ ଶିକ୍ଷକ ଏହି ଘଟଣାରେ ଅଭିଭାବକଙ୍କଠାରେ ଦୁଃଖ ପ୍ରକାଶ କରିବା ସହ ଆପୋଷ ବୁଝାମଣା କରିଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking