31.1 C
Bhubaneswar
Saturday, October 31, 2026
Homeଦେଶ ବିଦେଶକଏଦୀ ଫେରାର ମାମଲାରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ବିଜୟ

କଏଦୀ ଫେରାର ମାମଲାରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ବିଜୟ

ଜେଲ୍‌ରୁ କଏଦୀ ଫେରାର ଘଟଣାକୁ ନେଇ ତାମିଲନାଡୁ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଥେନି ଜିଲ୍ଲା ଜେଲ୍‌ରୁ ୧୭ ଜଣ କଏଦୀ ଫେରାର ହେବା ଘଟଣାରେ ଜେଲ୍‌ ଡେପୁଟି ସୁପରିଟେଣ୍ଡେଣ୍ଟ ଏନ୍‌. ରାମଲିଙ୍ଗମଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଏହାସହ ଜେଲ୍‌ର ୧୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟର ଦୁଇଟି ଜେଲ୍‌ରୁ କଏଦୀ ଫେରାର ହେବା ଘଟଣା ପରେ ଜେଲ୍‌ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ଥଲପତି ବିଜୟ ।

ଏନ୍‌. ରାମଲିଙ୍ଗମ ୨୦୨୪ ଅଗଷ୍ଟରୁ ଥେନି ଜିଲ୍ଲା ଜେଲ୍‌ରେ ନିଯୁକ୍ତ ଥିଲେ । ଜେଲ୍‌ର ସୁରକ୍ଷା ଓ ପ୍ରଶାସନିକ ତଦାରଖରେ ଅବହେଳା ଅଭିଯୋଗରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି । ଅନ୍ୟପଟେ ଜେଲ୍‌ର ୧୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରି ସେମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଏହା ପୂର୍ବରୁ ଗୁରୁବାର ଜେଲ୍‌ ଓ ସଂସ୍କାର ସେବା ବିଭାଗର ପୋଲିସ ମହାନିର୍ଦ୍ଦେଶକ ଡକ୍ଟର ସନ୍ଦୀପ ରାୟ ରାଠୋରଙ୍କର ମଧ୍ୟ ବଦଳି କରାଯାଇଥିଲା । ରାଜ୍ୟର ସମସ୍ତ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ ନିୟମିତ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ବିଜୟ ନିର୍ଦ୍ଦେଶ ଦେଇଛନ୍ତି ।

ଥେନି ଜିଲ୍ଲା ଜେଲ୍‌ରେ ସୋମବାର ରାତିରେ କଏଦୀମାନେ ଫେରାର ହେବାକୁ ଯୋଜନା କରିଥିଲେ । ଜେଲ୍‌ କର୍ମଚାରୀଙ୍କୁ ଭୁଆଁ ବୁଲାଇବା ପାଇଁ ଜଣେ କଏଦୀଙ୍କୁ ମିର୍ଗୀ ରୋଗର ଆଟାକ୍ ଆସୁଥିବା ନାଟକ କରିବାକୁ କୁହାଯାଇଥିଲା । କଏଦୀଙ୍କ ଦେହ ଖରାପ ହୋଇଥିବା ଖବର ପାଇ ଜଣେ ସୁରକ୍ଷା କର୍ମୀ ବାରାକ୍‌ର କବାଟ ଖୋଲି ଭିତରକୁ ଯାଇଥିଲେ । ଏହି ସୁଯୋଗରେ ଅନ୍ୟ କଏଦୀମାନେ ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ କାବୁ କରିନେଇଥିଲେ ।

ପରେ ଜେଲ୍‌ର ମୁଖ୍ୟ ଫାଟକର ଚାବି ହାତେଇ ନେଇ କଏଦୀମାନେ ଫେରାର ହୋଇଯାଇଥିଲେ । ସେମାନେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ । ଜେଲ୍‌ରୁ ବାହାରିବା ପରେ ଅରଞ୍ଜନୈପୁଦୁର ଅଞ୍ଚଳରୁ ମୋଟରସାଇକେଲ୍‌ ଯୋଗେ ଉଥମାପାଳୟମ ଦିଗରେ ଯାଇଥିଲେ । ରାସ୍ତାରେ ଅମ୍ମାଚିପୁରମ ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଫୋନ୍‌ ନେଇ ସେମାନେ ନିଜ ସହଯୋଗୀଙ୍କ ସହ ଯୋଗାଯୋଗ କରିଥିଲେ । ପରେ ସହଯୋଗୀମାନେ ସେମାନଙ୍କୁ ଟଙ୍କା, ପୋଷାକ ଓ ଗାଡ଼ି ଯୋଗାଇଥିବା ରିପୋର୍ଟରେ କୁହାଯାଇଛି ।

ଫେରାର କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବଡ଼ ଧରଣର ଅପରେସନ୍‌ ଆରମ୍ଭ କରାଯାଇଥିଲା । ଏଥିରେ ୧୭ଟି ସ୍ୱତନ୍ତ୍ର ପୋଲିସ ଟିମ୍‌, ୫ଟି ସ୍ପେଶାଲ ଟାସ୍କ ଫୋର୍ସ ୟୁନିଟ୍‌ ଏବଂ ତାମିଲନାଡୁ ସ୍ପେଶାଲ ପୋଲିସର ୪ଟି ବାଟାଲିୟନ୍‌ ନିୟୋଜିତ ରହିଥିଲେ । ଘଞ୍ଚ ଜଙ୍ଗଲରେ କଏଦୀଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଡ୍ରୋନ୍‌ର ମଧ୍ୟ ସହାୟତା ନିଆଯାଇଥିଲା ।

ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ୫ ଜଣ କଏଦୀଙ୍କୁ ଧରି ଅଦାଲତରେ ହାଜର କରାଯାଇଛି । ସେମାନଙ୍କୁ ନଭେମ୍ବର ୧୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ବୁଧବାର ଆଉ ୮ ଜଣ ଧରାପଡ଼ିଥିଲେ । ସେମାନଙ୍କୁ ନଭେମ୍ବର ୧୧ ପର୍ଯ୍ୟନ୍ତ ହାଜତକୁ ପଠାଯାଇଥିଲା । ଅବଶିଷ୍ଟ କଏଦୀଙ୍କୁ ଗୁରୁବାର ଅଦାଲତରେ ହାଜର କରାଯାଇଥିଲା । ଏହିପରି ସମସ୍ତ ୧୭ ଜଣଙ୍କୁ ପୁଣି ଥରେ ଗିରଫ କରାଯାଇଛି । ଏବେ ସେମାନଙ୍କୁ ରାଜ୍ୟର ବିଭିନ୍ନ ଉଚ୍ଚ ସୁରକ୍ଷା ସମ୍ପନ୍ନ ଜେଲ୍‌କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking