-୭,୭୬୫ ନିଯୁକ୍ତି ସୃଷ୍ଟି ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶା ସରକାର ୩,୮୫୫.୩୮ କୋଟି ଟଙ୍କାର ୨୨ଟି ଶିଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ୭,୭୬୫ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୧୫୧ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପର୍ଯ୍ୟଟନ, ଜୈବ ଇନ୍ଧନ, ଉତ୍ପାଦନ, ମହାକାଶ ଓ ପ୍ରତିରକ୍ଷା, ରସାୟନ ଓ ପେଟ୍ରୋରସାୟନ, ଭିତ୍ତିଭୂମି, ପ୍ଲାଷ୍ଟିକ୍, ଔଷଧ, ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର, ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ, କାଗଜ ଓ ପ୍ୟାକେଜିଂ ଆଦି ୧୧ଟି କ୍ଷେତ୍ର ସହ ଜଡ଼ିତ। ଏଥିରେ ପାରମ୍ପରିକ ଉତ୍ପାଦନ ଓ ଆନୁଷଙ୍ଗିକ ଶିଳ୍ପ ସହିତ ମହାକାଶ ଓ ପ୍ରତିରକ୍ଷା, ସଂକୁଚିତ ଜୈବ ଗ୍ୟାସ୍, ସ୍ୱତନ୍ତ୍ର ରସାୟନ ଉତ୍ପାଦନ, ଔଷଧ ପ୍ରସ୍ତୁତି, ଲଜିଷ୍ଟିକ୍ସ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟାଭିତ୍ତିକ ସେବା ଏବଂ ପର୍ଯ୍ୟଟନର ବିକାଶ ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ୧୨ଟି ଜିଲ୍ଲା ଯଥା ଅନୁଗୋଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରତିଷ୍ଠା ହେବାକୁ ପ୍ରସ୍ତାବିତ। କାଗଜ, ପ୍ୟାକେଜିଂ ଓ ପ୍ଲାଷ୍ଟିକ୍ କ୍ଷେତ୍ରରେ ଦୁଇଟି ପ୍ରମୁଖ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି। ଏହି ଦୁଇଟି ପ୍ରକଳ୍ପରେ ମୋଟ ୧,୦୨୯.୯୧ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧,୯୬୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଲିଶା ଟୋରେଣ୍ଟ କ୍ଲୋଜର୍ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ନୟାଗଡ଼ରେ ୫୨୯.୯୧ କୋଟି ଟଙ୍କା ବିନିଯୋଗ କରି ବୋତଲରେ ଭର୍ତ୍ତି ପାନୀୟ ପାଇଁ ଠିପି ଓ ସିଲ୍ ନିର୍ମାଣ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି। ଷ୍ଟାର୍କ ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାଠାରେ କାଗଜ ଓ କାଗଜଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ଏକ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରିବା ନିମନ୍ତେ ୫୦୦ କୋଟି ଟଙ୍କା ବିନିଯୋଗ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୧,୭୧୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ଏହି କାରଖାନାରେ ବାର୍ଷିକ ୧,୦୮,୦୦୦ ମେଟ୍ରିକ୍ ଟନ୍ କୋରୁଗେଟେଡ୍ ବାକ୍ସ, ୪୮,୦୦୦ ମେଟ୍ରିକ୍ ଟନ୍ କାଗଜ ବ୍ୟାଗ୍, ୪୮,୦୦୦ ମେଟ୍ରିକ୍ ଟନ୍ ମୋନୋ କାର୍ଟନ୍ସ ଏବଂ ୯୯,୦୦୦ ମେଟ୍ରିକ୍ ଟନ୍ କାଗଜ ଉତ୍ପାଦନ କରିବାର କ୍ଷମତା ରହିବା ପ୍ରସ୍ତାବିତ। ସଂକୁଚିତ ଜୈବ ଗ୍ୟାସ୍ (ସିବିଜି) ସମ୍ବନ୍ଧୀୟ ତିନୋଟି ପ୍ରସ୍ତାବିତ ପ୍ରକଳ୍ପରେ ମୋଟ ୬୮୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୯୮୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ପ୍ରକଳ୍ପଗୁଡ଼ିକ ଅନୁଗୋଳ, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ପ୍ରତିଷ୍ଠା କରାଯିବାକୁ ପ୍ରସ୍ତାବ ରହିଛି।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଅନୁଗୋଳ, ଯାଜପୁର ଓ ସମ୍ବଲପୁର ଜିଲ୍ଲାରେ ବାର୍ଷିକ ୧୪,୮୫୦ ଟନ୍ ସଂକୁଚିତ ଜୈବ ଗ୍ୟାସ୍ ଉତ୍ପାଦନ କ୍ଷମତାବିଶିଷ୍ଟ ଏକ କାରଖାନା ପ୍ରତିଷ୍ଠା ପାଇଁ ୩୬୦ କୋଟି ଟଙ୍କା ବିନିଯୋଗ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୭୪୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। କାଇନେଟା ଗ୍ଲୋବାଲ୍ ଲିମିଟେଡ୍ ସୁନ୍ଦରଗଡ଼ ଜିଲ୍ଲାରେ ବାର୍ଷିକ ୮,୨୫୦ ଟନ୍ ଉତ୍ପାଦନ କ୍ଷମତାବିଶିଷ୍ଟ ସଂକୁଚିତ ଜୈବ ଗ୍ୟାସ୍ କାରଖାନା ସ୍ଥାପନ ପାଇଁ ୧୭୦ କୋଟି ଟଙ୍କା ବିନିଯୋଗ କରିବ। ଏହାଦ୍ୱାରା ୧୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି, ଶ୍ରୀ ମେଟାଲିକ୍ସ ବାୟୋ ଏନର୍ଜି ଲିମିଟେଡ୍ ବାଲେଶ୍ୱର ଜିଲ୍ଲାରେ ବାର୍ଷିକ ୬,୬୦୦ ଟନ୍ ସଂକୁଚିତ ଜୈବ ଗ୍ୟାସ୍ ଉତ୍ପାଦନ କ୍ଷମତାବିଶିଷ୍ଟ କାରଖାନା ପ୍ରତିଷ୍ଠା ପାଇଁ ୧୫୦ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପରୁ ୬୯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି। ଏହି ତିନୋଟି ପ୍ରକଳ୍ପ ମାଧ୍ୟମରେ ବାର୍ଷିକ ମୋଟ ୨୯,୭୦୦ ଟନ୍ ସଂକୁଚିତ ଜୈବ ଗ୍ୟାସ୍ ଉତ୍ପାଦନ କରିବାର ପ୍ରସ୍ତାବ ରହିଛି। ଇସ୍ପାତ ଆନୁଷଙ୍ଗିକ ଶିଳ୍ପ ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ତିନୋଟି ପ୍ରକଳ୍ପ ପାଇଁ ମୋଟ ୩୨୩.୮୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୬୩୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ସାହା ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ସମ୍ବଲପୁରରେ ୭୨.୮୧ କୋଟି ଟଙ୍କା ବିନିଯୋଗ କରିବ। ଏହି ପ୍ରକଳ୍ପରେ ୨୪,୦୦୦ ମେଟ୍ରିକ୍ ଟନ୍ ପ୍ରି-ଇଞ୍ଜିନିୟର୍ଡ ବିଲ୍ଡିଂ ସିଷ୍ଟମ୍ ଏବଂ ୭,୫୦୦ ମେଟ୍ରିକ୍ ଟନ୍ କୋଲ୍ଡ-ଫର୍ମଡ୍ ପର୍ଲିନ୍ସ, ଗର୍ଟସ୍, ଡେକିଂ ଓ ପ୍ରୋଫାଇଲ୍ ସିଟ୍ ଉତ୍ପାଦନ କରାଯିବ। ଏହାଦ୍ୱାରା ୨୮୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି ।
ଏମ୍ପିଆଇଏଲ୍ ଷ୍ଟିଲ୍ ଷ୍ଟ୍ରକ୍ଚର୍ସ ଲିମିଟେଡ୍ ଯାଜପୁର ଜିଲ୍ଲାରେ ବାର୍ଷିକ ୨୫,୦୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତାବିଶିଷ୍ଟ ଏକ ଭାରୀ ଇସ୍ପାତ ସଂରଚନା ନିର୍ମାଣ କାରଖାନା ପ୍ରତିଷ୍ଠା କରିବ। ଏଥିପାଇଁ ୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଥିବାବେଳେ ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି, ଆର୍ମର ଇଣ୍ଡଷ୍ଟ୍ରିଜ୍ ସୁନ୍ଦରଗଡ଼ ଜିଲ୍ଲାରେ ୫୧ କୋଟି ଟଙ୍କା ବିନିଯୋଗ କରି ଏକ ଶିଳ୍ପ ଉତ୍ପାଦନ କାରଖାନା ସ୍ଥାପନ କରିବ। ଏହି କାରଖାନାରେ ଇସ୍ପାତ ସଂରଚନା ନିର୍ମାଣ, ପ୍ଲେଟ୍ କାର୍ଯ୍ୟ, ବ୍ଲାଷ୍ଟ ଫର୍ଣ୍ଣେସ୍ ଉପକରଣ, ୱାଗନ୍ ଟିପ୍ଲର୍ ବ୍ୟବସ୍ଥା, ଖଣି ଓ ସାମଗ୍ରୀ ପରିଚାଳନା ଉପକରଣ ଏବଂ ଉଚ୍ଚ ସଠିକତାବିଶିଷ୍ଟ ଯନ୍ତ୍ରପାତି ଅଂଶ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ୧୫୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି। ରସାୟନ ଓ ପେଟ୍ରୋ ରସାୟନ କ୍ଷେତ୍ରରେ ୨୨୫ କୋଟି ଟଙ୍କାର ଦୁଇଟି ପୁଞ୍ଜିନିବେଶ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୪୦୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆରିଶ୍ କୋଟିଂ ଟେକ୍ନୋଲୋଜି ଏଲ୍ଏଲ୍ପି ଖୋର୍ଦ୍ଧା ଜିଲ୍ଲାରେ ଶିଳ୍ପରେ ବ୍ୟବହୃତ ରଙ୍ଗ ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରିବ। ଏଥିପାଇଁ ୫୦ କୋଟି ଟଙ୍କା ବିନିଯୋଗ କରାଯିବ ଏବଂ ୨୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି। ସେହିପରି, ପ୍ରୋଏକ୍ ଏନର୍ଜି ଲିମିଟେଡ୍ ଭଦ୍ରକ ଜିଲ୍ଲାରେ ୧୭୫ କୋଟି ଟଙ୍କା ବିନିଯୋଗ କରି ବାର୍ଷିକ ୧୮,୦୦୦ ମେଟ୍ରିକ୍ ଟନ୍ କାଲସିନ୍ଡ୍ ପେଟ୍ରୋଲିୟମ୍ କୋକ୍ ଏବଂ ୯,୦୦୦ ମେଟ୍ରିକ୍ ଟନ୍ ଗ୍ରାଫାଇଟାଇଜ୍ଡ୍ ପେଟ୍ରୋଲିୟମ୍ କୋକ୍ ଉତ୍ପାଦନ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୨୦୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ପ୍ରସ୍ତାବିତ ପ୍ରକଳ୍ପ ମାଧ୍ୟମରେ ୧୧୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧,୧୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଷ୍ଟୋନହକ୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ଡ୍ରୋନ୍ ଓ ମାନବବିହୀନ ବିମାନ ପ୍ରଣାଳୀ ଉତ୍ପାଦନ ପାଇଁ ଏକ ସମନ୍ୱିତ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ୬୫ କୋଟି ଟଙ୍କା ବିନିଯୋଗ କରିବ। ଏହାଦ୍ୱାରା ୮୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି । ସେହିପରି, କ୍ଲାସିକ୍ ଟେକ୍ନୋଲୋଜିଷ୍ଟିକ୍ସ ଆଣ୍ଡ ଟ୍ରେଡ୍ ପ୍ରାଇଭେଟ୍ ଲିମିଟେଡ୍ ଏକ ସମନ୍ୱିତ ମହାକାଶ ଉପକରଣ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୫୨ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୩୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଔଷଧ ଶିଳ୍ପରେ ଉତ୍ପାଦନ କ୍ଷମତାର ସୁଦୃଢ଼ୀକରଣ ସ୍ୱରୂପ ଅମୃତାଶ ହେଲଥ୍ କେୟାର ପ୍ରାଇଭେଟ୍ ଲିମିଟେଡ୍ , ୟୁନିଟ୍–୨ ଖୋର୍ଦ୍ଧାଠାରେ ଔଷଧ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୧୫୨.୬୯ କୋଟି ଟଙ୍କା ବିନିଯୋଗ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୫୨୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରସ୍ତାବିତ କାରଖାନାରେ ବାର୍ଷିକ ୧୫୦ କୋଟି ଟାବଲେଟ୍, ୨୧ କୋଟି କ୍ୟାପସୁଲ୍ ଏବଂ ୪.୮ କୋଟି ଇଞ୍ଜେକ୍ସନ୍ ଉତ୍ପାଦନ କରିବାର କ୍ଷମତା ରହିବ। ପରିବହନ ଓ ସାମଗ୍ରୀ ପରିଚାଳନା ଭିତ୍ତିଭୂମି କ୍ଷେତ୍ରରେ ଆରବି ଆବୋଡ୍ସ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମ ଜିଲ୍ଲାରେ ୨୦୯.୩୫ କୋଟି ଟଙ୍କା ବିନିଯୋଗରେ ଏକ ସମନ୍ୱିତ ଲଜିଷ୍ଟିକ୍ସ ପାର୍କ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୩୪୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥି ସହିତ ଏଠାରେ ୫ ମେଗାୱାଟ୍ କ୍ଷମତାବିଶିଷ୍ଟ ଏକ ଛାତ ଉପର ସୌର ବିଦ୍ୟୁତ୍ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ।
ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଆତିଥେୟତା ଓ ପର୍ଯ୍ୟଟନସ୍ଥଳୀ ବିକାଶକୁ ଗୁରୁତ୍ୱ ଦୃଷ୍ଟିରୁ ମୋଟ ୧,୦୩୫.୬୨ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୬ଟି ପ୍ରକଳ୍ପ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୧,୩୩୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିରେ ଖୋର୍ଦ୍ଧା, ଝାରସୁଗୁଡ଼ା, ପୁରୀ ଓ କଟକ ଜିଲ୍ଲାରେ ହୋଟେଲ୍, ବିଳାସପୂର୍ଣ୍ଣ ରିସୋର୍ଟ ଏବଂ ଏକ ସମ୍ମିଳନୀ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ରହିଛି । ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ କନ୍ଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାରେ ଏକ ପଞ୍ଚତାରକା ହୋଟେଲ୍ ପ୍ରତିଷ୍ଠା ପାଇଁ ୩୧୦ କୋଟି ଟଙ୍କା ବିନିଯୋଗ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୨୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି, ସ୍ୱାମୀ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାରେ ଆଉ ଏକ ପଞ୍ଚତାରକା ହୋଟେଲ୍ ପ୍ରତିଷ୍ଠା ପାଇଁ ୧୫୩ କୋଟି ଟଙ୍କା ବିନିଯୋଗ କରିବ। ଏହାଦ୍ୱାରା ୨୪୯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରୋୟାଲ୍ ନେଷ୍ଟ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ା ଜିଲ୍ଲାରେ ଏକ ସମ୍ମିଳନୀ କେନ୍ଦ୍ର ସହ ପଞ୍ଚତାରକା ବିଳାସପୂର୍ଣ୍ଣ ରିସୋର୍ଟ ପ୍ରତିଷ୍ଠା ପାଇଁ ୧୫୦ କୋଟି ଟଙ୍କା ବିନିଯୋଗ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୧୯୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପୁରୀ ଜିଲ୍ଲାରେ ଶ୍ରୀକୃଷ୍ଣ ଇଷ୍ଟେଟ୍ସ ଆଣ୍ଡ କନ୍ଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଏକ ଉଚ୍ଚମାନର ପର୍ଯ୍ୟଟନ ରିସୋର୍ଟ ପ୍ରତିଷ୍ଠା ପାଇଁ ୧୩୫ କୋଟି ଟଙ୍କା ବିନିଯୋଗ କରିବ। ଏହାଦ୍ୱାରା ୨୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେ.ପି. ପ୍ରାଇମ୍ ଆସେଟ୍ସ ପ୍ରାଇଭେଟ୍ ଲିମିଟେଡ୍ ୧୨୦ କୋଟି ଟଙ୍କା ବିନିଯୋଗରେ ଏକ ପଞ୍ଚତାରକା ବିଳାସପୂର୍ଣ୍ଣ ହୋଟେଲ୍ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପରୁ ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ସେହିପରି, ମା’ ଭଟ୍ଟାରିକା ମିନେରାଲ୍ସ କଟକ ଜିଲ୍ଲାରେ ମହାନଦୀ ନଦୀକୂଳରେ ‘ମହାନଦୀ ଆଳୟ’ ନାମକ ଏକ ଚାରିତାରକା ରିସୋର୍ଟ ପ୍ରତିଷ୍ଠା ପାଇଁ ୬୪.୦୪ କୋଟି ଟଙ୍କା ବିନିଯୋଗ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ୧୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲିଣ୍ଡେ ସାଉଥ୍ ଏସିଆ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାରେ ପରିବହନ କାର୍ଯ୍ୟ ପରିଚାଳନା ଓ ଦୂରସ୍ଥ କାର୍ଯ୍ୟ ପରିଚାଳନା ନିମନ୍ତେ ଏକ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ। ଏଥିପାଇଁ ୮୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଥିବାବେଳେ ୨୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପ ଅନୁମୋଦିତ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକରେ ସେବା କ୍ଷେତ୍ରକୁ ସାମିଲ କରିଛି। ଏହା ଉତ୍ପାଦନଭିତ୍ତିକ ପ୍ରକଳ୍ପଗୁଡ଼ିକୁ ପରିପୂରକ କରିବା ସହ ଅନୁମୋଦିତ ପ୍ରସ୍ତାବଗୁଡ଼ିକରେ ପ୍ରତିଫଳିତ ଆର୍ôଥକ କାର୍ଯ୍ୟକଳାପର ପରିସରକୁ ଆହୁରି ବ୍ୟାପକ କରିବ। ଅନୁମୋଦିତ ୨୨ଟି ପ୍ରସ୍ତାବରେ ମୋଟ ୩,୮୫୫.୩୮ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୭,୭୬୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶାର ୧୨ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବାକୁ ପ୍ରସ୍ତାବ ରହିଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପର ସମ୍ପ୍ରସାରଣ ସହ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବ।










