ରାଇସେନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଶ୍ରୀ ଶିବରାଜ ସିଂହ ଚୌହାନ
ଡିବିଟି ମାଧ୍ୟମରେ ୯.୩୪ କୋଟିରୁ ଊର୍ଦ୍ଧ୍ୱ କୃଷକ ପାଇବେ ୧୮,୬୯୦ କୋଟିରୁ ଅଧିକ ଟଙ୍କା
କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ବିକଶିତ ୫୨୧ଟି ୟୁନିଟ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ
ଉଚ୍ଚ ମୂଲ୍ୟଯୁକ୍ତ ଉଦ୍ୟାନ କୃଷି ଫସଲକୁ ପ୍ରୋତ୍ସାହନ ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ୧୨ଟି ଉଦ୍ୟାନ କୃଷି କ୍ଲଷ୍ଟରର ଉଦ୍ଘାଟନ
ବିକଶିତ ଭାରତ ଲକ୍ଷ୍ୟରେ ସମୃଦ୍ଧ ଓ ଆତ୍ମନିର୍ଭର କୃଷି କ୍ଷେତ୍ର ଗଠନକୁ ଗତି ଦେବ ଏହି ପଦକ୍ଷେପ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୩୦ ଅକ୍ଟୋବର ୨୦୨୬) ଗୁଜରାଟର ବନାସକାଣ୍ଠାଠାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରିବେ। ଏହି କିସ୍ତି ଅଧୀନରେ ଦେଶର ୯.୩୪ କୋଟିରୁ ଊର୍ଦ୍ଧ୍ୱ କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮,୬୯୦ କୋଟି ଟଙ୍କାରୁ ଅଧିକ ଅର୍ଥ ସିଧାସଳଖ ହସ୍ତାନ୍ତର କରାଯିବ। ଏହି ପଦକ୍ଷେପ କୃଷକଙ୍କ କଲ୍ୟାଣ ଓ ଆର୍ଥିକ ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ସ୍ଥାପିତ ୫୨୧ଟି ୟୁନିଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହା କୃଷିଜାତ ସାମଗ୍ରୀର ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ଏହା ସହ ଜଡ଼ିତ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ। ସେହିପରି, ଉଚ୍ଚ ମୂଲ୍ୟଯୁକ୍ତ ଉଦ୍ୟାନ କୃଷି ଫସଲକୁ ପ୍ରୋତ୍ସାହିତ କରିବା ଏବଂ କୃଷକମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ସେ ୧୨ଟି ଉଦ୍ୟାନ କୃଷି କ୍ଲଷ୍ଟର ର ଉଦଘାଟନ ମଧ୍ୟ କରିବେ।
ମଧ୍ୟପ୍ରଦେଶର ରାଇସେନ୍ ଠାରୁ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସଂଖ୍ୟକ କୃଷକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହା ପିଏମ-କିସାନ୍ ଏବଂ ବିଭାଗର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକର ମହତ୍ତ୍ୱକୁ ଉପସ୍ଥାପନ କରିବା ପାଇଁ ଏକ ଉପଯୁକ୍ତ ମଞ୍ଚ ଯୋଗାଇବ। ଏଥିସହ, କୃଷକମାନଙ୍କ କଲ୍ୟାଣ, ସମୃଦ୍ଧି ଏବଂ ସଶକ୍ତିକରଣ ପାଇଁ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଏହା ପୁନର୍ବାର ସୁନିଶ୍ଚିତ କରିବ।
ପିଏମ୍-କିସାନ୍ ଯୋଜନାର ପ୍ରଥମ ୨୩ଟି କିସ୍ତି ମାଧ୍ୟମରେ ଯୋଗ୍ୟ ଚାଷୀମାନଙ୍କୁ ୪.୪୭ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରାଯାଇସାରିଛି। ଏହି ଯୋଜନା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ କୃଷକ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଥାଏ। ଏହା ସେମାନଙ୍କୁ କୃଷି ଓ ପାରିବାରିକ ଖର୍ଚ୍ଚ ବହନ କରିବାରେ ଏବଂ ଜୀବିକା ସୁରକ୍ଷା ବଜାୟ ରଖିବାରେ ସାହାଯ୍ୟ କରେ।
କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ; ଏହା କୋଟି କୋଟି ଚାଷୀଙ୍କ ଜୀବିକା ଯୋଗାଇବା ସହ ଖାଦ୍ୟ ଓ ପୁଷ୍ଟିସାଧନ ସୁରକ୍ଷା ନିଶ୍ଚିତ କରିଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ, ଗତ ୧୨ ବର୍ଷ ମଧ୍ୟରେ ସରକାର ଚାଷୀଙ୍କ ଆୟ ବୃଦ୍ଧି କରିବା ଏବଂ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଲକ୍ଷ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।
ଏହି ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ୍), ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କିସାନ କ୍ରେଡିଟ୍ କାର୍ଡ, ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ଏବଂ ‘ପର୍ ଡ୍ରପ୍ ମୋର୍ କ୍ରପ୍’ (ଅଧିକ ଫସଲ ପାଇଁ ପ୍ରତି ବୁନ୍ଦା ପାଣିର ଉପଯୋଗ) ଅନ୍ତର୍ଭୁକ୍ତ। ଏହି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ହେଉଛି ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା, ବିପଦ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, କୃଷି ଋଣ ପାଇବାର ସୁଯୋଗ ବୃଦ୍ଧି କରିବା ଏବଂ ଚାଷୀମାନଙ୍କ ସର୍ବାଙ୍ଗୀନ ସଶକ୍ତୀକରଣ ପାଇଁ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ କୃଷି ପରିଚାଳନାକୁ ପ୍ରୋତ୍ସାହିତ କରିବା।
ସରକାର ‘ଖାଇବା ତେଲ ପାଇଁ ଜାତୀୟ ମିଶନ’ ଏବଂ ‘ଡାଲି ଜାତୀୟ ଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ମିଶନ’ ଭଳି ପଦକ୍ଷେପ ମାଧ୍ୟମରେ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ବ୍ୟତୀତ, ‘ପ୍ରାକୃତିକ ଚାଷ ପାଇଁ ଜାତୀୟ ମିଶନ’ ଦେଶବ୍ୟାପୀ କୃଷି କ୍ଲଷ୍ଟର ଗଠନ ମାଧ୍ୟମରେ ଚାଷୀମାନଙ୍କୁ ସ୍ଥାୟୀ କୃଷି ପଦ୍ଧତି ଆପଣାଇବାକୁ ଉତ୍ସାହିତ କରୁଛି।
ଚାଷୀଙ୍କ ଆୟ ବୃଦ୍ଧି କରିବାରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଏବଂ କୃଷି ଭିତ୍ତିଭୂମିର ଗୁରୁତ୍ୱକୁ ଉପଲବ୍ଧି କରି, ‘କୃଷି ଭିତ୍ତିଭୂମି ପାଣ୍ଠି’ ମାଧ୍ୟମରେ ଗୋଦାମ, ଶୀତଳ ଭଣ୍ଡାର, ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ କୃଷି ଭିତ୍ତିଭୂମିରେ ନିବେଶକୁ ପ୍ରୋତ୍ସାହିତ କରାଯାଉଛି। ଏଆଇଏଫ୍ ଅଧୀନରେ, ୨.୨୮ ଲକ୍ଷରୁ ଅଧିକ ପ୍ରକଳ୍ପରେ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି, ଯାହା ଦେଶବ୍ୟାପୀ ଗୁରୁତ୍ୱପୂର୍ଣ୍ଣ କୃଷି ଭିତ୍ତିଭୂମିର ବିକାଶରେ ସହାୟକ ହେଉଛି। ଏହି ନିବେଶଗୁଡ଼ିକ ଦ୍ୱାରା ସଂରକ୍ଷଣ ଓ ପ୍ରକ୍ରିୟାକରଣ କ୍ଷମତା ସୁଦୃଢ଼ ହେବ, ଫସଲ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ ପାଇବ, ବଜାର ସୁବିଧା ଉନ୍ନତ ହେବ ଏବଂ ଚାଷୀମାନେ ନିଜ ଉତ୍ପାଦ ପାଇଁ ଉତ୍ତମ ମୂଲ୍ୟ ପାଇବାକୁ ସକ୍ଷମ ହେବେ ବୋଲି ଆଶା କରାଯାଉଛି।
ସରକାର ଆୟ ସୁଯୋଗ ବୃଦ୍ଧି କରିବା ଏବଂ ଚାଷକୁ ଅଧିକ ଲାଭଦାୟକ କରିବା ପାଇଁ ଉଚ୍ଚ-ମୂଲ୍ୟର କୃଷି କାର୍ଯ୍ୟକଳାପ, ବିଶେଷକରି ଉଦ୍ୟାନ କୃଷି ପ୍ରତି ବିବିଧତାକୁ ପ୍ରୋତ୍ସାହିତ କରୁଛନ୍ତି। ଉଦ୍ୟାନ କୃଷି କ୍ଲଷ୍ଟରର ବିକାଶ ଉଦ୍ୟାନ କୃଷି ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଉଚ୍ଚ-ମୂଲ୍ୟର ଫସଲର ଉତ୍ପାଦନ ଏବଂ ବିପଣନକୁ ଉତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ପଦକ୍ଷେପଗୁଡ଼ିକ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, କୃଷି ଭିତ୍ତିଭୂମିର ଆଧୁନିକୀକରଣ କରିବା, ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ଏକ ସମୃଦ୍ଧ, ସ୍ଥିର ଏବଂ ଆତ୍ମନିର୍ଭରଶୀଳ କୃଷି କ୍ଷେତ୍ର ନିର୍ମାଣ କରିବା ପାଇଁ ସରକାରଙ୍କ ପ୍ରୟାସକୁ ଆହୁରି ଆଗକୁ ବଢ଼ାଇବ।










