ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ବାୟୁର ଗୁଣବତ୍ତା ସୁଧାରିବା ପାଇଁ ଆସନ୍ତା ୨୦୨୬ ନଭେମ୍ବର ୧ ତାରିଖ (ରବିବାର) ରୁ ସଂଶୋଧିତ ଗ୍ରେଡେଡ୍ ରେସପୋନ୍ସ ଆକ୍ସନ୍ ପ୍ଲାନ୍ (ଜିଆରଏପି) ଅଧୀନରେ ନୂଆ ନିୟମାବଳୀ ଲାଗୁ ହେବାକୁ ଯାଉଛି । ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁ ସୋସିଆଲ ମିଡିଆ ”ଏକ୍ସ” ରେ ସୂଚନା ଦିଆଯାଇଛି ଯେ, ବାହାର ରାଜ୍ୟରୁ ଦିଲ୍ଲୀକୁ ଆସୁଥିବା ଯାନବାହନଗୁଡ଼ିକ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରି ଯାତ୍ରା କରିବାକୁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି। ନୂତନ କଟକଣା ଅନୁଯାୟୀ, ଆସନ୍ତା ନଭେମ୍ବର ୧, ୨୦୨୬ ରୁ ୨୦୨୭ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହନଗୁଡ଼ିକ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।
କେବଳ ବିଏସ୍-୬ ନିର୍ଗମନ ମାନଦଣ୍ଡ ପୂରଣ କରୁଥିବା ଗାଡ଼ି, ସିଏନ୍ଜି ଏବଂ ବୈଦ୍ୟୁତିକ (ଅଭି) ଯାନବାହନଗୁଡ଼ିକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାସହିତ ବିଏସ୍-୬ ମାନଦଣ୍ଡର ହୋଇଥିଲେ ମଧ୍ୟ ସମସ୍ତ ଗାଡ଼ି ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ରହିବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ପଣ୍ୟବାହୀ ଗାଡ଼ିଗୁଡ଼ିକର ଗନ୍ତବ୍ୟ ସ୍ଥଳ ଦିଲ୍ଲୀ ନୁହେଁ, ସେଗୁଡ଼ିକୁ ଇଷ୍ଟର୍ଣ୍ଣ କିମ୍ବା ୱେଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ବିଏସ୍-୬ ମାନଦଣ୍ଡର ନଥିବା ଡିଜେଲ ଆନ୍ତଃରାଜ୍ୟ ବସଗୁଡ଼ିକୁ ଦିଲ୍ଲୀ ପ୍ରବେଶ ମନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୦୧ ରୁ ୩୦୦ (”ଖରାପ” ବର୍ଗ) ମଧ୍ୟରେ ରହିଲେ ବାୟୁ ଗୁଣବତ୍ତା ପରିଚାଳନା କମିଶନ୍ (ସିଏକ୍ୟୁଏମ୍) ପକ୍ଷରୁ ଜିଆରଏପିର ପ୍ରଥମ ପର୍ଯ୍ୟାୟ ଲାଗୁ କରାଯାଇଥାଏ। ନିକଟରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ”ଖରାପ” ସ୍ଥିତିରେ ଥିବା ବେଳେ ଗୁରୁବାର ରାତିରେ ହୋଇଥିବା ବର୍ଷା ଓ ଘଡ଼ଘଡ଼ି କାରଣରୁ ଶୁକ୍ରବାର ସକାଳେ ଏକ୍ୟୁଆଇ ୯୦ କୁ ହ୍ରାସ ପାଇ ସନ୍ତୋଷଜନକ ସ୍ଥିତିକୁ ଆସିଛି। ତଥାପି ଆଗାମୀ ଶୀତଦିନିଆ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପୁଲିସ ଓ ପ୍ରଶାସନ ପକ୍ଷରୁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।










