କଟକ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି। ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ବିଦ୍ୟାଭାରତୀଙ୍କ ଆଇନଗତ ଅଡୁଆ ବଢ଼ିଛି। ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଏହି ଆବେଦନର ଶୁଣାଣି କରିଥିଲେ। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ, ହାଇକୋର୍ଟ ଗତ ସେପ୍ଟେମ୍ବର ୩ ତାରିଖ ଆଦେଶରେ ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଆବେଦନକୁ ଖାରଜ କରିଦେବା ସହ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍ଡିଜେଏମ୍ଙ୍କ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସୁପ୍ରିମ୍କୋର୍ଟ ତାଙ୍କୁ ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ କରିବା ପାଇଁ ଅନୁମତି ଦେଇ ମାମଲାର ଅନ୍ତ ଘଟାଇଥିଲେ । ଫଳରେ ସୁପ୍ରିମ୍କୋର୍ଟରୁ ମଧ୍ୟ ବିଦ୍ୟାଭାରତୀଙ୍କୁ କୌଣସି ପ୍ରକାର ସୁରକ୍ଷା ମିଳିନଥିଲା । ସୁପ୍ରିମ୍କୋର୍ଟଙ୍କ ଆଦେଶ ଅନୁସାରେ ବିଦ୍ୟାଭାରତୀ ଆଗୁଆ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅବକାଶକାଳୀନ ଅଦାଲତରେ ପ୍ରଥମେ ଏହି ମାମଲା ଶୁଣାଣି ପାଇଁ ଉଠିଥିଲା । ଅବକାଶକାଳୀନ ଅଦାଲତ ମାମଲାର ଶୁଣାଣି କରି କେସ୍ ଡାଏରୀ (ସିଡି) ଦାଖଲ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଏହି ମାମଲାର ଶୁଣାଣି ସମୟରେ ସିଡି ଦାଖଲ କରାଯିବା ସହ ଉଭୟ ପକ୍ଷ ଯୁକ୍ତି ବାଢ଼ିଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହା ମାମଲାର ରାୟ ପ୍ରକାଶ ପାଇଛି। ହାଇକୋର୍ଟ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି।
ଏହି ମାମଲାରେ ପ୍ରଥମେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ଏତଲା ହୋଇଥିଲା। ପୁଲିସ ତଦନ୍ତ ପରେ ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସିର ଧାରା ୩୦୪-ଏ ଅନୁସାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାକୁ ବିରୋଧ କରି ମୃତ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ପ୍ରୋଟେଷ୍ଟ ପିଟିସନ୍ ଦାଖଲ ହୋଇଥିଲା। ପରେ ସାନି ତଦନ୍ତ ଆଧାରରେ ବିଦ୍ୟାଭାରତୀ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫାରେ ମାମଲା ଚାଲିବାକୁ ନିର୍ଦ୍ଦେଶ ହୋଇଥିଲା। ୨୦୨୫ ଜୁଲାଇ ୩ ତାରିଖରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ। ଏହି ମାମଲାରେ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍ଓ ଏବଂ ସୌମ୍ୟରଞ୍ଜନଙ୍କ ରୋଷେୟା ପୂର୍ବରୁ ଗିରଫ ହୋଇସାରିଛନ୍ତି। ଏବେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ମାମଲାର ପରବର୍ତ୍ତୀ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି।










