ନୂଆଦିଲ୍ଲୀ: ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ହାଇଜ୍ୟାକ ଉଦ୍ୟମ ହୋଓଇଛି । ଏହାର ସୂଚନା ମିଳିବା ମାତ୍ରେ ବିମାନକୁ ଜୟପୁର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି । ତେବେ କିଏ ଓ କାହିଁକି ଏୟାର ଇଣ୍ଡିଆ ବିମାନକୁ ହାଇଜ୍ୟାକ କରିବାକୁ ଉଦ୍ୟମ କରୁଥିଲା ତାର ତଦନ୍ତ ଜାରି ରହିଛି । ବିମାନରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇନି । ଏୟାର ଇଣ୍ଡିଆ ଫ୍ଲାଇଟ ଏଆଇ ୨୦୩୦କୁ ନେଇ ଅହମ୍ମଦବାଦ ଟ୍ରାଫିକ କଣ୍ଟ୍ରୋଲକୁ ସକାଳ ୯ଟା ୧୫ରେ ଏମରେଜେନ୍ସି ଆଲର୍ଟ ମିଳିଥିଲା । ଏହାପରେ ବିମାନକୁ ଜୟପୁର ଡାଇଭର୍ଟ କରାଯାଇ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି । ବିମାନଟି ଗତକାଲି ରାତି ୧୦ଟା ୪୫ରେ ଜର୍ମାନୀର ଫ୍ରାଙ୍କଫର୍ଟରୁ ଉଡାଣ ଭରିଥିଲା । ତେବେ ସୁରକ୍ଷା ଏଜେନ୍ସିର ଯାଞ୍ଚ ପରେ ଏହା ଗୁଜବ ଥିବା ଜଣାପଡିଛି । ବିମାନର ଜରୁରୀକାଳୀନ ଅବତରଣ ପରେ ବିମାନ ବନ୍ଦରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଏୟାରପୋର୍ଟ ପ୍ରୋଟୋକଲ ସହିତ ଜୟପୁର ପୋଲିସର ବୋମା ନିଷ୍କ୍ରିୟକାରୀ ଦଳ, ଅଗ୍ନିଶମ ବାହିନୀ ଏବଂ ଅନ୍ୟ ଟିମ୍ ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଜସ୍ଥାନ ପୋଲିସର ଏଡିଜି ସମେତ ଅନେକ ପୋଲିସ ଅଧିକାରୀ ମଧ୍ୟ ଖବର ମିଳିବା ମାତ୍ରେ ତତକ୍ଷଣାତ ବିମାନ ବନ୍ଦରରେ ପହଞ୍ଚିଥିଲେ।










