ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସର୍ବ କନିଷ୍ଠ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛି ସିଂହୀ ‘ଶ୍ରୀୟା’ । ‘ଶ୍ରୀୟା’କୁ ଏବେ ଦୁଇ ବର୍ଷ ଦେଢ଼ ମାସ ବୟସ । ୨୦୨୪ ଅଗଷ୍ଟ ୮ ତାରିଖରେ ସିଂହୀ ବିଜଲି ଓ ସିଂହ ସମ୍ରାଟ ଔରସରୁ ୩ଟି ଶାବକ ଧ୍ରୁବ, ହର୍ଷ ଓ ଶ୍ରୀୟା ଜନ୍ମ ହୋଇଥିଲେ । ବିଜଲୀ ଶାବକମାନଙ୍କୁ ଗ୍ରହଣ ନକରିବାରୁ କର୍ତ୍ତୃପକ୍ଷ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖି ବଡ଼ କରିଥିଲେ । ପ୍ରାୟ ଏକ ବର୍ଷର ହେବା ପରେ ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ ପଛ ପାର୍ଶ୍ବ ଖୁଆଡ଼ରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ‘ଧ୍ରୁବ’କୁ ଅଲଗା କରାଯାଇ ଗୋଟିଏ ଖୁଆଡ଼ରେ ‘ହର୍ଷ’ ଓ ‘ଶ୍ରୀୟା’କୁ ରଖାଯାଇଥିଲା । ତେବେ କର୍ତ୍ତୃପକ୍ଷଙ୍କ ଅଜାଣତରେ ସେମାନଙ୍କ ମିଳନ ହୋଇଥିବା ଜଣେ କର୍ମଚାରୀ କହିଛନ୍ତି ।
ଗତକାଲି ସନ୍ଧ୍ୟାରେ ହଠାତ୍ ‘ଶ୍ରୀୟା’ ଗୋଟିଏ ଶାବକ ଜନ୍ମ ଦେଇଥିଲା । ଏ ସମ୍ପର୍କରେ କେହି ଜାଣିପାରି ନଥିଲେ । ପରେ କର୍ମଚାରୀମାନେ ଦେଖି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ବିଭାଗୀୟ ଅଧିକାରୀ ଓ ପ୍ରାଣୀ ଚିକିତ୍ସକ ସେଠାରେ ପହଞ୍ଚିଥିଲେ । ତେବେ କମ୍ ବୟସରେ ପ୍ରଥମ କରି ମା’ ହୋଇଥିବାରୁ ‘ଶ୍ରୀୟା’ ଶାବକକୁ ଗ୍ରହଣ କରିନଥିଲା । ତେଣୁ ଶାବକଟିକୁ ମା’ଠାରୁ ଅଲଗା କରି ଶିଶୁ ଲାଳନପାଳନ କେନ୍ଦ୍ରକୁ ନିଆଯାଇଛି । ସିଂହ ଶାବକ ଜନ୍ମ ହେବା ସମ୍ପର୍କରେ ଅଧିକ ଜାଣିବା ପାଇଁ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।









