ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଆମେରିକାର ପ୍ରସିଦ୍ଧ ହାର୍ଭାଡ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଦୁଇଟି ଗୋଷ୍ଠୀ ଭିନ୍ନ ମତ ପ୍ରକାଶ କରିଛନ୍ତି। ଗୋଟିଏ ଗୋଷ୍ଠୀ ପୁଲିସର କାର୍ଯ୍ୟକୁ ନିନ୍ଦା କରିଥିବାବେଳେ ଅନ୍ୟ ଗୋଷ୍ଠୀ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିରୋଧରେ ଚାଲିଥିବା ଅଭିଯାନକୁ ନେଇ ଚିନ୍ତା ପ୍ରକାଶ କରିଛି।ଅକ୍ଟୋବର ୧୦ରେ ଦିଲ୍ଲୀରେ ପ୍ରତିବାଦ ସମୟରେ ହଜାର ହଜାର ଲୋକଙ୍କୁ ପୁଲିସ ଅଟକ ରଖିଥିଲା। ଏହାର ପ୍ରତିବାଦରେ ଅକ୍ଟୋବର ୧୨ରେ ହାର୍ଭାର୍ଡର ୧୦୦ ଜଣ ପୂର୍ବତନ ଛାତ୍ର ଏକ ଚିଠି ଜାରି କରିଥିଲେ। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନକାରୀଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ, ବେଆଇନ ଅଟକ ଓ ପୁଲିସର ଅତ୍ୟାଚାର ବନ୍ଦ କରିବାକୁ ସେମାନେ ସରକାରଙ୍କୁ ଆହ୍ୱାନ ଦେଇଥିଲେ।
ଅନ୍ୟପକ୍ଷରେ ବୁଧବାର ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ୪୪ ଜଣଙ୍କ ଏକ ଗୋଷ୍ଠୀ ନୂଆ ଚିଠି ଜାରି କରିଛି। ନିର୍ବାଚନ ଆୟୋଗ, ସୁପ୍ରିମକୋର୍ଟ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଓ ସଂସଦ ବିରୋଧରେ ଅପପ୍ରଚାରକୁ ନେଇ ଏହା ଚିନ୍ତା ପ୍ରକାଶ କରିଛି। ହାର୍ଭାର୍ଡର ନାମକୁ ଅନୁମତି ବିନା ରାଜନୈତିକ ଅଭିଯାନରେ ବ୍ୟବହାର କରିବାକୁ ମଧ୍ୟ ଏହି ଗୋଷ୍ଠୀ ବିରୋଧ କରିଛି।ତେବେ ପୁଲିସ କାର୍ଯ୍ୟାନୁଷ୍ଠାନର ନିରପେକ୍ଷ ଯାଞ୍ଚ ଆବଶ୍ୟକ ବୋଲି ଏହା ସ୍ୱୀକାର କରିବା ସହ ପ୍ରମାଣ ବିନା ଅଭିଯୋଗ ନ କରିବା ଓ ଆଇନର ଶାସନକୁ ସମ୍ମାନ ଦେବା ଉପରେ ଜୋର ଦେଇଛି।










