ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪୬ଟି ଶିଳ୍ପ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏଥିପାଇଁ ଯାଜପୁର କଳିଙ୍ଗନଗରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିଳ୍ପ ବିକାଶର ପେଡ଼ି ଖୋଲିଥିଲେ । ତାଙ୍କ ପେଡ଼ିରୁ ବାହାରିଥିବା ତଥ୍ୟ ମୁତାବକ ମୋଟ ୩୯,୩୮୩ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୪୨,୫୧୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଇସ୍ପାତ ଓ ଧାତୁ, ରସାୟନ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ବାୟୋଫ୍ୟୁଏଲ୍, ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ, ଆଇଟି, ଲଜିଷ୍ଟିକ୍ସ, ପର୍ୟ୍ୟଟନ, ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ଏହି ପ୍ରକଳ୍ପ ୧୪ଟି ଜିଲ୍ଲାରେ ଶିଳ୍ପ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ନୂଆ ଗତି ଦେବ।










