ଭୁବନେଶ୍ବର: ଆସୁଛି ଶୀତ । ଓଡ଼ିଶାର ଅଧିକାଂଶ ଅଞ୍ଚଳରୁ ବିଦାୟ ନେଲାଣି ମୌସୁମୀ ବାୟୁ । ଆସନ୍ତା 2ରୁ 3 ଦିନ ମଧ୍ୟରେ ରାଜ୍ୟରୁ ସମ୍ପୂର୍ଣ୍ଣ ବିଦାୟ ନେବ ଦକ୍ଷିଣ-ପଶ୍ଚିମ ବାୟୁ । ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାରି ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ଓ ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, କୋରାପୁଟ ଜିଲ୍ଲାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ବିଦାୟ ନେଇଛି । ଏହା ସହ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରୁ ମଧ୍ୟ ମୌସୁମୀ ବାୟୁ ଫେରିଯାଇଛି । ଆଗାମୀ ୨-୩ ଦିନ ମଧ୍ୟରେ ଦେଶ ସମେତ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ ବାୟୁ ।










