ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଅବିଶ୍ରାନ୍ତ ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମଙ୍ଗଳବାର ଏବଂ ବୁଧବାର ପାଇଁ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଚାରିଧାମ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା, ଭୂସ୍ଖଳନ ଏବଂ ରାସ୍ତା ବନ୍ଦ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ଜଳ ଆୟୋଗ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖରେ ମଧ୍ୟମ ଧରଣର ବନ୍ୟା ବିପଦର ଚେତାବନୀ ମଧ୍ୟ ଜାରି କରିଛନ୍ତି। ଗଡ଼ୱାଲ ଡିଭିଜନର କମିସନରଙ୍କ ଅନୁଯାୟୀ,ପାଗ ସ୍ୱାଭାବିକ ହେଲେ ଏବଂ ମାର୍ଗଗୁଡ଼ିକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଘୋଷଣା କରାଯିବା ପରେ ହିଁ ଯାତ୍ରା ପୁଣି ଆରମ୍ଭ ହେବ।ଗତ କିଛି ଦିନ ଧରି ଉତ୍ତରାଖଣ୍ଡରେ ଲଗାତାର ମୌସୁମୀ ବର୍ଷା ହେଉଛି।
ପାହାଡ଼ରୁ ଭଗ୍ନାବଶେଷ ଏବଂ ପଥର ଖସିବା ଭଳି ଅନେକ ଘଟଣା ଘଟିଛି। ଏହା ଅନେକ ସ୍ଥାନରେ ଚାରିଧାମ ଧାମକୁ ଯାଉଥିବା ପ୍ରମୁଖ ରାସ୍ତା ଅବରୋଧ ହୋଇଯାଇଛି। ପାଣିପାଗ ବିଭାଗ ଆଗାମୀ କିଛି ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି, ତେଣୁ ସରକାର ତୀର୍ଥଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ, ପାଣିପାଗ ବିଭାଗ ୨୪ ଘଣ୍ଟାର ଏକ ବନ୍ୟା ପୂର୍ବାନୁମାନ ଜାରି କରିଛି, ଯାହା ୨୯ ଜୁଲାଇ, ୨୦୨୬ ସକାଳ ୫:୩୦ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି। ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟାର ଆଶଙ୍କା ବିଷୟରେ ଆଲର୍ଟ ଜାରି ହୋଇଛି।










