ଭୁବନେଶ୍ୱର: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଉତ୍ତର ଓଡିଶାର ୪ ଓ ପଶ୍ଚିମ ଓଡିଶାର ୨ ଜିଲ୍ଲାରେ ଆଜି ସ୍କୁଲ ଛୁଟି । ବାଲେଶ୍ୱର , ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝରରେ ସ୍କୁଲ ବନ୍ଦ କରାଯାଇଛି । ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ, ଘରୋଇ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ରରେ ପାଠପଢା ସ୍ଥଗିତ ରଖାଯାଇଛି ।ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ସମୁଦ୍ରରେ ବାଲେଶ୍ବରଠାରୁ ୧୨୦ କିମି ଦୂରରେ ରହିଛି। ଆସନ୍ତାକାଲି ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ଥିବାରୁ ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ସମ୍ଭାବନା ଅଛି।ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ୨୯ଯାଏ ମତ୍ସ୍ୟଜୀଜୀଙ୍କୁ ବାରଣ କରାଯାଇଛି। ଆସନ୍ତା ୩୧ ଯାଏ ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇ ଥିବାରୁ ଅଧିକ ବର୍ଷା ହୋଇପାରେ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀରରେ ପବନ ସହିତ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।










