ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଛୁରାମାଡ଼ । ରାସ୍ତାରେ ଯାଉଥିବା ତିନି ଜଣ ମହିଳାଙ୍କ ଉପରେ ଜଣେ ଯୁବକ ଅତର୍କିତ ଭାବେ ଛୁରିରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ତିନି ଜଣ ମହିଳା ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବା ସୂଚନା ମିଳିଛି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ସାହସିକତା ଯୋଗୁଁ ଅଭିଯୁକ୍ତକୁ କାବୁ କରାଯାଇଥିଲା । ପ୍ୟାରିସର ଉତ୍ତରାଞ୍ଚଳସ୍ଥିତ ପୋର୍ଟ ଡି କ୍ଲିଚି ଆଦାଲତ ନିକଟରେ ଏହି ଆକ୍ରମଣ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜଣେ ଯୁବକ ରାସ୍ତାରେ ଯାଉଥିବା ତିନି ଜଣ ମହିଳାଙ୍କ ଉପରେ ହଠାତ୍ ଛୁରିରେ ଆକ୍ରମଣ କରିଥିଲା । ଆହତ ମହିଳାମାନଙ୍କ ବୟସ ୧୯, ୨୪ ଓ ୩୬ ବର୍ଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବା ସୂଚନା ମିଳିଛି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି । ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଆକ୍ରମଣ ସମୟରେ କିଛି କଥା କହି ନିଜ କାର୍ଯ୍ୟକୁ ଯଥାର୍ଥ ବୋଲି ଦାବି କରୁଥିଲା । ତେବେ ଏହି ଦାବିର ସତ୍ୟତା କିମ୍ବା ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଘଟଣାର ମୂଳ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି । ଆକ୍ରମଣ ପରେ ସେଠାରେ ଥିବା କିଛି ସାହସୀ ଲୋକ ତୁରନ୍ତ ଆଗକୁ ଆସିଥିଲେ । ସେମାନେ ଅଭିଯୁକ୍ତକୁ ଅଟକାଇବା ପାଇଁ ତାଙ୍କ ଆଡ଼କୁ ଏକ ସୁଟକେସ୍ ଫିଙ୍ଗିଥିଲେ । ଏଥିରେ ତାଙ୍କ ହାତରୁ ଛୁରି ଖସି ପଡ଼ିଥିଲା । ପରେ ଲୋକମାନେ ତାଙ୍କୁ କାବୁ କରି ପୁଲିସ ହାତରେ ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ଏହି ଘଟଣା ପରେ ପ୍ୟାରିସରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଅଭିଯୁକ୍ତର ଉଦ୍ଦେଶ୍ୟ, ମାନସିକ ସ୍ଥିତି ଏବଂ ଆକ୍ରମଣ ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।










