ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜନଆକ୍ରୋଶ ତୀବ୍ର ରୂପ ନେଇଛି । ମିଳିତ ଆୱାମୀ ଆକ୍ସନ କମିଟି ଏବଂ ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ମୁଜାଫରାବାଦ ଅଭିମୁଖେ ପଦଯାତ୍ରା କରୁଥିବା ବେଳେ ରାୱଲକୋଟରେ ପରିସ୍ଥିତି ହିଂସାତ୍ମକ ହୋଇପଡ଼ିଛି । ବିକ୍ଷୋଭକାରୀଙ୍କୁ ଛତ୍ରଭଙ୍ଗ କରିବାକୁ ପାକିସ୍ତାନୀ ସୁରକ୍ଷା ବାହିନୀ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଏହି ଗୁଳିମାଡ଼ରେ ୯ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ରାୱଲକୋଟରେ ଉତ୍ତେଜନା ଲାଗି ରହିଛି ଏବଂ ସ୍ଥାନୀୟ ଲୋକ ପାକ୍ ସେନା ବିରୋଧରେ ଜୋରଦାର ପ୍ରତିବାଦ କରୁଛନ୍ତି ।ମିଳିତ ଆୱାମୀ ଆକ୍ସନ କମିଟି ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ହାତଲେଖା ତାଲିକାରେ ମୃତକଙ୍କ ନାମ ଉଲ୍ଲେଖ ରହିଛି । ହିଂସା ପରେ ପିଓକେର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପିଓକେରେ ଉପୁଜିଥିବା ଏହି ପରିସ୍ଥିତିକୁ ନେଇ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଚିନ୍ତା ବଢ଼ୁଛି ।










