ଭୁବନେଶ୍ୱର: ଶିମିଳିପାଳରୁ ଆସିଲା ଖୁସିର ଖବର । ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ପୁଣି ଗଞ୍ଜନା ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ବାଘୁଣୀ “ଜିନ୍ନତ” ମା ହୋଇଛି । ଗତ ୨୮ ତାରିଖରେ ସେ ୪ ଟି ଛୁଆକୁ ଜନ୍ମ ଦେଇଛି, ଯାହା ବନ୍ୟଜୀବ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି । ସୂଚନା ଅନୁସାରେ, ବାଘୁଣୀ ଜିନ୍ନତକୁ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା–ଅନ୍ଧାରି ଅଭୟାରଣ୍ୟରୁ ଆଣି ଶିମିଳିପାଳରେ ଛଡ଼ାଯାଇଥିଲା ।ସେଠାରୁ ତାଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖୁଥିଲା । ଏବେ ସେ ସଫଳତାର ସହିତ ମା ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି । ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଏକ ଐତିହାସିକ ସଫଳତା ଭାବେ ଦେଖୁଛନ୍ତି । ଜିନ୍ନତ ଏବଂ ତାଙ୍କ ୪ ଛୁଆଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି । ଏହି ଖବର ପରେ ବନ୍ୟଜୀବ ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ଶିମିଳିପାଳର ବାଘ ସଂରକ୍ଷଣ ଚେଷ୍ଟାକୁ ନୂଆ ଗତି ମିଳିଛି ।










